ବଲାଙ୍ଗୀର, ୩ ନଭେମ୍ବର (ହି ସ): ଆଦର୍ଶ ଶିକ୍ଷକ ସ୍ବର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଶିକ୍ଷକତା କରିଥିବା ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଂଚନାଟକ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ। ଏକାଧାରରେ ଅଭିନେତା, ନିର୍ଦ୍ଦେଶକ, ମଂଚଶିଳ୍ପୀ ଓ ଚିତ୍ରକର ଭାବେ ଏହି ବିନୟୀ ପୁରୁଷଙ୍କୁ ସମାଜ ବହୁକାଳ ମନେରଖିବ ବୋଲି ବୁଧବାର ସ୍ଥାନୀୟ ଭଗବତୀ ମଣ୍ଡପଠାରେ ତାଙ୍କର ଦ୍ବାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି। ବୁର୍ଲା ଭିମସାରର ପ୍ରଫେସର ବେଣୁଧର ପାଣ୍ଡେଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତିସଭାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, ଦୁଇ ପୁରାତନ ଛାତ୍ର ତଥା କଂଟାବାଂଜି ବିଧାୟକ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସେଠାକାର ପୂର୍ବତନ ବିଧାୟକ ଆୟୁବ ଖାଁ, ସାହିତ୍ୟିକ ଶ୍ରୀନିବାସ ଉଦ୍ଗାତା ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କେଭି ସିଂହେଦେଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ
