
କନ୍ଧମାଳ, ୨୨ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର ଆଠ ଲକ୍ଷ ଲୋକ ସ୍ଵାସ୍ଥ୍ୟ ସେବା ପାଇବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବାରେ ସୁଧାର ଆସୁନାହିଁ। ମୁଖ୍ୟ ଚିକିତ୍ସାଳୟରେ ୬୦ ଭାଗ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ୮୦ ପ୍ରତିଶତ ବିଶେଷଜ୍ଞ ପଦବୀ ଖାଲି ପଡିଛି। ସାମାନ୍ୟ ଏବଂ ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର ରେଫର କରାଯାଉଛି। ଉପରବେଳା ଓପିଡି ଖୋଲାଯାଉ ନଥିଲା ବେଳେ କେବଳ କାଜୁଆଲିଟି ଖୋଲି ଜିଲାବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ପୂରୁଣା କୋଠା ଛାତରୁ ପାଣି ଗଳୁଥିବା ବେଳେ ଭିତର ମରାମତି ଦୁର୍ଭାଗ୍ୟ ଜନକ। ଆବଶ୍ୟକ ଥିବା କାମ ନକରି ଅନାବଶ୍ୟକ ସ୍ଥାୟୀ କାମ ନକରି କେବଳ ଅର୍ଥ ବରବାଦ କରାଯାଉଛି। ଆଠ ଲକ୍ଷ ଜନତାଙ୍କ ସ୍ଵାସ୍ଥ୍ୟ ପ୍ରତି କାହାର ଉତ୍ତରଦାୟୀତ୍ଵ ନାହିଁ। ବର୍ଷ ବର୍ଷ ଯିବା କାଠ କବାଟ ଝରକା ହଟାଇ ଅଳ୍ପ ଦିନ ପାଇଁ ପ୍ଳାଇଉଡ ଲାଗୁଛି।ନିଯୁକ୍ତି ହୋଇଥିବା ଗ୍ରାମାଞ୍ଚଳ ଡାକ୍ତରଖାନାରେ ନ ରହି ରହିବା ଭତ୍ତା ନେଉଥିବାରୁ ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଡାକ୍ତର ମାନେ ୬ ଦିନ ଛୁଟିରେ ଯାଇ ୧୨ ଦିନ ରହୁଛନ୍ତି। ୩ୟ ଶ୍ରେଣୀ କର୍ମଚାରୀଙ୍କ ଆଭ୍ୟନ୍ତରୀଣ ବଦଳି ପ୍ରିୟା ପ୍ରୀତିରେ ହେଉଛି। ସଫେଇ କର୍ମଚାରୀ ଓ ସିକ୍ୟୁରିଟ ଗାର୍ଡ ନିଯୁକ୍ତିରେ ବ୍ୟାପକ ଶୋଷଣ କରାଯାଉଛି।କଟକ ଭୁବନେଶ୍ଵରକୁ ଗୁରୁତର ରୋଗୀଙ୍କୁ ସିଧାସଳଖ ରେଫର ପାଇଁ ବ୍ୟବସ୍ଥା କରାଯାଉ। ମୁଖ୍ୟ ଚିକିତ୍ସାଳୟରେ ଅଧିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉ ବୋଲି ଦାବୀ କରାଯାଇଛି। ବାହାର ରୋଗୀଙ୍କ ପାଇଁ ପରିମଳ ବ୍ୟବସ୍ଥା କରିବାକୁ ଓ ଜରୁରୀ ପରିସ୍ଥିତିରେ ଉପରବେଳା ପାଥୋଲୋଜି ସେବା ଯୋଗାଇ ଦେବାକୁ, ପଞ୍ଜିକୃତ ରୋଗୀକୁ ୱାର୍ଡରେ ତୁରନ୍ତ ସେବା ଯୋଗାଇ ଦେବାକୁ ସିଡିଏମଓ ଡଃ. ମନୋଜ ଉପାଧ୍ୟାୟଙ୍କ ଦୃଷ୍ଟି ଗୋଚର କରାଯାଇଛି। ଜିଲା ପ୍ରଶାସନ ଉପରେ ଚାପ ପକାଇ କନ୍ଧମାଳରୁ ଦରମା ନେଇ ୫ ଜଣ ବିଶେଷଜ୍ଞ ଭୁବନେଶ୍ଵରରେ କାମ କରିବା ଦୁର୍ଭାଗ୍ୟଜନକ। ସାମାନ୍ୟ ରୋଗକୁ ରେଫର ନକରିବା ପ୍ରସୂତୀଙ୍କ ଠାରୁ ମିଠା ଖାଇବା ନାମରେ ଆର୍ଥିକ ଶୋଷଣ ନ କରିବାକୁ ଅବଗତ କରାଯାଇଛି। ମରାମତି ନାମରେ ଦୁଇ ମାସ ଧରି ଅପରେସନ ରୁମ ବନ୍ଦ ରହିବା ଦୁର୍ଭାଗ୍ୟଜନକ। ମରାମତି ସମ୍ପର୍କରେ ଜିଲା ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ରାସ୍ତା ଓ କୋଠାବାଡି ବିଭାଗ ଗ୍ରହଣ କରୁ ନଥିବାରୁ ଫାଇଭ-ଟି ସଚିବଙ୍କ ଦୃଷ୍ଟି ଗୋଚର କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ବିଜୟ କୁମାର ପଣ୍ଡା ଓ ହସପିଟାଲ ମ୍ୟାନେଜର ଶ୍ୟାମ ସୁନ୍ଦର ନାୟକ ଉପସ୍ଥିତ ଥିଲେ। ମଙ୍ଗଳବାର କନ୍ଧମାଳ ମିଳିତ ନାଗରିକ କମିଟିର ସଭାପତି ଡଃ. ଅରୁପ ଜେନାଙ୍କ ସହ ଆବାହକ ଅଶୋକ ପରିଡା, ବ୍ରଜ ପଟ୍ଟନାୟକ, ଭିକାରୀ ପାଣିଗ୍ରାହୀ, ପ୍ରମୋଦ ସାହୁ, ମଧୁସୂଦନ ସାହୁ ପ୍ରମୁଖ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବାକୁ ସିଡିଏମଓ ନାଗରିକ କମିଟି ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ପ୍ରଦୀପ୍ତ/ସମନ୍ୱୟ
