ବ୍ରହ୍ମପୁର, ୧୨ ନଭେମ୍ବର (ହି.ସ.)- ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ଵାରୋପ କରୁଥିଲେ ମଧ୍ୟ ଅନେକ ଅନୁଷ୍ଠାନ ଏହାକୁ ଗୁରୁତ୍ଵ ଦେଉନାହାନ୍ତି ତେଣୁ ଏହାକୁ କଡାକଡି ଭାବରେ ଲାଗୁ କରିବା ସହ ଖିଲାପକାରୀଙ୍କୁ ଏଥିପାଇଁ ଥିବା ଦଣ୍ଡବିଧାନ କରାଯାଉ ବୋଲି ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ବୈଠକରେ କ୍ଷୋଭ ପ୍ରକାଶ କରାଯାଇଛି ।ଏବଂ ଆଗାମୀ ଦିନରେ ଏଥି ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଉତ୍କଳ ଆଶ୍ରମ ସଭା କକ୍ଷରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଆଲୋଚନା ସଭାରେ ସଭାପତି ଡଃ. ସୁବ୍ରତ କୁମାର ସାହୁ ସଭାପତିତ୍ବ କରିଥିଲା ବେଳେ ଅତିଥି ଭାବରେ କଳା, ସାହିତ୍ୟ, ସଂସ୍କୃତି ଗବେଷକ ଡଃ. ବାୟାମନୁ ଚର୍ଚ୍ଚି, ଉପସଭାପତି ଶିକ୍ଷାବିତ ସାହିତ୍ୟିକ ଡଃ. ବନମାଳୀ ପାଣିଗ୍ରାହୀ ଓ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସଭା ଉଦ୍ଘାଟନ କରିଥିଲେ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସମୁହ ଗାନ କରାଯାଇଥିଲା। ବ୍ରହ୍ମପୁର ମହାନଗର ନିଗମ ଅଂଚଳ ଏବଂ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସରକାରୀ ଓ ଘରୋଇ ଅନୁଷ୍ଠାନ ଗୁଡ଼ିକର ନାମ ଫଳକ ଓଡ଼ିଆ ଭାଷାରେ ଅଗ୍ରାଧିକାର ଭିତ୍ତିରେ ଲେଖା ଯାଉନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ଏହାର ଖିଲାପକାରୀଙ୍କୁ ୨୫ ହଜାର ଟଙ୍କା ଦଣ୍ଡ ବିଧାନ ରହିଥିବା ବିଷୟ ଆଲୋଚନା ହୋଇଥିଲା ଏବଂ ସ୍ଥାନୀୟ ପ୍ରଶାସନ ଏଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା। ଆଲୋଚନାରେ ଅଂଶଗ୍ରହଣ କରି ଅତିଥି ଗବେଷକ ଡଃ. ବାୟାମନୁ ଚର୍ଚି ମତବ୍ୟକ୍ତ କରିଥିଲେ ଯେ, ଏହା ଆମ ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ ଏଥିପାଇଁ ସମସ୍ତେ ସଚେତନଶୀଳ ହେବା ଜରୁରୀ ଏବଂ ଆଗାମୀ ଡ଼ିସେମ୍ବର ୩୦/୩୧ ଦୁଇ ଦିନ ଧରି କଟକ ଠାରେ ଉତ୍କଳ ସମ୍ମିଳନୀ ଓ ବିଶ୍ବ ଓଡ଼ିଆ ସମାରୋହ ଅନୁଷ୍ଠିତ ହେବ, ଯେଉଁଥିରେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ବିଭିନ୍ନ ଓଡ଼ିଆ ସଂଗଠନ ସମେତ ବିଶ୍ବର ୩୦ରୁ ଉର୍ଦ୍ଧ୍ବ ଦେଶରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ। ଏବଂ ଏହାକୁ ସଫଳ କରିବା ପାଇଁ ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି ତଥା ଉତ୍କଳ ସମ୍ମିଳନୀ ଓ ବରପୁତ୍ର ମାନଙ୍କ ଅବଦାନ ସମ୍ପର୍କରେ ଲେଖା ଆହ୍ବାନ କରି ସହଯୋଗ କାମନା କରିଥିଲେ। ଏହି ଅବସରରେ ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଆଲୋଚନା ସଭାରେ ସମ୍ମିଳନୀର ଜିଲ୍ଲା ପ୍ରତିନିଧି ରାଧାଚରଣ ନାୟକ ଏବଂ ଯୁଗ୍ମ ସମ୍ପାଦକ ରାଜ କିଶୋର ସ୍ବାଇଁ କାର୍ଯ୍ୟକାରୀ ସଦସ୍ୟ ନବୀନ କୁମାର ପଟ୍ଟନାୟକ ସୂର୍ଯ୍ୟକାନ୍ତ ପାତ୍ରଙ୍କ ସମେତ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢୀ, ଶ୍ରୀମତୀ କିରଣ ବାଳା ମିଶ୍ର, ଶ୍ରୀମତୀ ସୁଧାଞ୍ଜଳୀ ମିଶ୍ର, ବରିଷ୍ଠ ଶିକ୍ଷାବିତ ଦେବୀ ପ୍ରସାଦ ସାହୁ, ଭବାନୀ ଶଙ୍କର ପାଣିଗ୍ରାହୀ, ଟି କୁମାର ସ୍ବାମୀ ପାତ୍ର,ଲାଲ ବାହାଦୁର ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
