ସମ୍ୱଲପୁର, 03 ଫେବୃଆରୀ :– ଯାହା ନିକଟରେ କାହାର ସାହାରା ନାହିଁ ତା ନିକଟରେ ମୋଦୀର ଗ୍ୟାରେଂଟି ରହିଛି। ବିଜେପି ସରକାର ଗରୀବଙ୍କ ସରକାର । ଗରୀବଙ୍କ ସମସ୍ୟାକୁ ନିରନ୍ତର କମ କରୁଥିବା ସରକାର । ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ବିଜେପି ଦ୍ୱାରା ଆୟୋଜିତ ବିଶାଳ ମୋଦୀ ଗ୍ୟାରେଂଟି ରାଲୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣ ମାନେ ଭଲ ଭାବେ ଜାଣନ୍ତି ଯେ ମୋଦୀଙ୍କ ଗ୍ୟାରେଂଟିର ଅର୍ଥ ହେଲା ଗ୍ୟାରେଂଟି ପୂରା ହେବାର ଗ୍ୟାରେଂଟି ।
ସେ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ କୋଟି କୋଟି ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି । ଏଥି ମଧ୍ୟରୁ 25 ଲକ୍ଷ ଲାଭାର୍ଥୀ ଓଡିଶାର । ଯେଉଁ ମାନଙ୍କୁ ବର୍ତମାନ ସୁଦ୍ଧା ପକ୍କା ଘର ମିଳି ନାହିଁ ସେମାନଙ୍କ ଚିନ୍ତା ମଧ୍ୟ ମୋଦୀ କରୁଛି । ତେଣୁ ଆପଣ ମାନେ ଯାହାର ଘର ନାହିଁ ତାକୁ ଏହି ବିଷୟ ଯାଇ କହନ୍ତୁ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବଜେଟରେ ଦୁଇ କୋଟି ନୂଆ ଘର ନିର୍ମାଣ ପାଇଁ ଘୋଷଣା କରାଯାଇଛି । ସେ କହିଛନ୍ତି ଯେ ମୋର ଜଣେ ହେଲେ ଭାଇ ଭଉଣୀ ବସ୍ତିରେ ନ ରହୁ ସେଇଥି ପାଇଁ ଦିନ ରାତି ଏକ କରି କାମ କରୁଛି ।
ପ୍ରଧାନମନ୍ତ୍ରୀ ତାଙ୍କର ଉଦବୋଧନରେ କହିଛନ୍ତି ଯେ, ଗତ ଦଶ ବର୍ଷରେ ଯେଉଁ ନୀତି ଅବଲମ୍ବନ କରି ଦେଶର 25 କୋଟି ଲୋକ ଦାରିଦ୍ରରୁ ବାହାରକୁ ଆସିପାରିଛନ୍ତି ଚଳିତ ବଜେଟ ସେହି ନୀତିକୁ ଆଗକୁ ବଢାଇବ । କେନ୍ଦ୍ର ସରକାର ଦ୍ୱାରା ଅଣାଯାଇଥିବା ବଜେଟ ଗରୀବ ମାନଙ୍କୁ ଶକ୍ତଶାଳୀ କରିବାର ଗ୍ୟାରେଂଟି ଅଟେ ।
ସେ କହିଛନ୍ତି ଯେ ଚାଷୀ, ପଶୁପାଳକ କିମ୍ବା ମତ୍ସ୍ୟଜୀବୀ ହୁଅନ୍ତୁ ସମସ୍ତଙ୍କର ଆୟ ବଢାଇବା ବିଜେପି ସରକାରର ପ୍ରାଥମିକତା ରହିଛି ।
ବିଜେପି ସରକାର ପ୍ରଥମ ଥର ପାଇଁ ଖର୍ଚର ଦେଢ ଗୁଣା ଏମଏସପି ପ୍ରଦାନ କରିବା ସୁନିଶ୍ଚିତ କରିଛି । 2014 ମସିହା ପୂର୍ବରୁ ଦଶ ବର୍ଷରେ ଓଡିଶାରୁ 36 ହଜାର କୋଟି ଟଙ୍କାର ଧାନ କ୍ରୟ କରାଯାଉଥିବା ବେଳେ ଗତ ଦଶ ବର୍ଷ ମଧ୍ୟରେ ଏକ ଲକ୍ଷ ଦଶ ହଜାର କୋଟି ଟଙ୍କାର ଧାନ କ୍ରୟ କରାଯାଇଛି । ବଜେଟରେ ଚାଷୀ ମାନଙ୍କ ଆୟକୁ ବଢାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ସେ କହିଛନ୍ତି ଯେ ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦି। ଗତ ୧୦ ବର୍ଷରେ ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି ଆଗାମୀ ଦିନରେ ୩ କୋଟି ପାଇଁ ଲକ୍ଷ୍ୟ ରଖି କାମ କରାଯାଉଛି ।
ସେ କହିଛନ୍ତିଯେ ଆଜି ବିଜେପି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି । କଂଗ୍ରେସ ଓ ତା ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଥିଲା । ତାହା ଦ୍ରୌପଦୀଙ୍କ ଅପମାନ ନୁହେଁ ସାରା ଆଦିବାସୀଙ୍କ ଓ ସାରା ଓଡିଶାର ଅପମାନ ବୋଲି ସେ କହିଛନ୍ତି ।
