ନୂଆଦିଲ୍ଲୀ, ୧୮ ଅକ୍ଟୋବର – କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଅଦାନି ସମୂହକୁ ଘେରିବା ସହ ଅଦାନି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅଦାନି ସମୂହ ଇଣ୍ଡୋନେସିଆରୁ କୋଇଲା କିଣୁଛି । ଏହି ଦରରେ ହେରଫେର୍ କରି ଭାରତରେ ଦୁଇ ଗୁଣା ଦରରେ ବିକ୍ରୀ କରୁଛି । ଏହି କାରଣରୁ ଦେଶରେ ବିଦ୍ୟୁତର ଦର ବଢୁଛି । ଯାହାର ଚାପ ଗରିବ ଜନତାଙ୍କ ଉପରେ ପଡୁଛି ।
ସେ ନିଜ ଅଭିଯୋଗ ସପକ୍ଷରେ ଲଣ୍ଡନର ଏକ ଖବରକାଗଜର ରିପୋର୍ଟକୁ ଉପସ୍ଥାପନ କରିଛନ୍ତି । ରାହୁଲ କହିଛନ୍ତି ଯେ, ହେରଫେର୍ କରି ଅଦାନି ସମୂହ ୧୨ ହଜାର କୋଟି ଟଙ୍କା ଆୟ କରିଛି । ଏ କଥା ଭାରତର ନାଗରିକମାନଙ୍କୁ ବୁଝିବାକୁ ହେବ । ତେବେ ସବୁଠୁ ରୋଚକ କଥା ଯେ, ଏହି ରିପୋର୍ଟ ଉପରେ ଭାରତର ଗଣମାଧ୍ୟମ ଗୋଟିଏ ହେଲେ ପ୍ରଶ୍ନ କରୁନାହିଁ ।
