ଲକ୍ଷ୍ନୌ, ଫେବୃୟାରୀ – ବେଆଇନ ଖଣି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କୁ ସମନ ପଠାଇ ପଚରା ଉଚୁରା ପାଇଁ ଗୁରୁବାର (ଫେବୃୟାରୀ ୨୯) ରେ ତାଙ୍କୁ ଦିଲ୍ଲୀ ଡାକିଛି ।
ବେଆଇନ ଖଣି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଏହି ସମନ ପଠାଇଥିବା ସୂତ୍ରରୁ ପ୍ରକାଶ । ୨୦୧୨-୧୭ ରୁ ଉତରପ୍ରଦେଶରେ ସମାଜବାଦୀପାର୍ଟିର ସରକାର ଥିଲା ଏବଂ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ । ଏହି ସମୟରେ ୨୦୧୯ ମସିହାରେ ହମିରପୁର ଜିଲ୍ଲାରେ ବେଆଇନ ଖଣି ମାମଲାରେ ସିବିଆଇ ଏକ ଏଫଆଇଆର ପଂଜିକୃତ କରିଥିଲା ।
ଏଥିରେ ହମିରପୁରର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ବହୁ ଅଧିକାରୀଙ୍କ ନାମ ମଧ୍ୟ ରହିଛି । ଏଫଆଇଆରରେ ଅଭିଯୋଗ ହୋଇଛି ଯେ, ଏହି ଅଧିକାରୀ ଏବଂ କର୍ମଚାରୀମାନେ ଖଣି ଖନନ ପାଇଁ ବାହାରିଥିବା ଟେଣ୍ଡରରେ ଧାର୍ଯ୍ୟ କରାଯାଇଥିବା ପଦ୍ଧତି ଅନୁସରଣ କରିନାହାଁନ୍ତି । ଖଣିଜ ପଦାର୍ଥର ବେଆଇନ ଖଣି ଖନନକୁ ମଧ୍ୟ ଅନୁମତି ଦିଆଯାଇଥିଲା ।
