ନୂଆଦିଲ୍ଲୀ , 12 ନଭେମ୍ବର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରସାରଣ ସେବା ନିୟନ୍ତ୍ରଣ ବିଲ୍-୨୦୨୩ ଚିଠା ପ୍ରସ୍ତୁତ କରିଛି । ଏହି ଚିଠା ବିଲ୍ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି । ବିଗତ ତିନି ଦଶନ୍ଧି ଧରି କେବୁଲ ଟେଲିଭିଜନ ନେଟୱାର୍କ ନିୟନ୍ତ୍ରଣ ଆଇନ ୧୯୯୫ ବଳବତ୍ତର ଥିଲା । କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଣ୍ଟେଣ୍ଟ(ଉଭୟ ଲାଇନର ଓ କେବୁଲ ନେଟୱାର୍କ) ଉପରେ ନଜର ରଖିବାକୁ ଏହା ଥିଲା ମୌଳିକ ଆଇନଗତ ବ୍ୟବସ୍ଥା । ଏବେ କିନ୍ତୁ ଦେଶର ପ୍ରସାରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ନୂଆ ଟେକ୍ନୋଲୋଜି ଆସିବା ଫଳରେ ଡିଟିଏଚ୍, ଆଇପିଟିଭି, ଓଟିଟି ଓ ଅନ୍ୟାନ୍ୟ ବିଭିନ୍ନ ଇଣ୍ଟ୍ରିଗ୍ରେଟେଡ୍ ମଡେଲ ପ୍ଲାଟଫର୍ମ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ।
ପ୍ରସାରଣ କ୍ଷେତ୍ରରେ ଡିଜିଟାଇଜେସନ ଫଳରେ, ବିଶେଷକରି କେବୁଲ ଟିଭିରେ, ନିୟାମକ ବା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁସଂହତ ଓ ଦକ୍ଷ କରିବାର ଆବଶ୍ୟକତା ଉପୁଜିଛି । ଏଥିରେ ସୁଗମ ବାଣିଜ୍ୟ (ଇଜ୍ ଅଫ୍ ଡୁଇଂ ବିଜ୍ନେସ) କାରବାର ଏବଂ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମାବଳୀ (ପ୍ରୋଗ୍ରାମ ଆଣ୍ଡ ଆଡଭାଇଟାଇଜିମେଣ୍ଟ କୋଡ)ର ଉପଯୁକ୍ତ ପରିପାଳନ ବିଶେଷ ଜରୁରୀ ହୋଇଛି । ଉଭୟ ପ୍ରସାରଣକାରୀ ଓ ଡିଷ୍ଟ୍ରିବ୍ୟୁସନ ପ୍ଲାଟଫର୍ମ ଅପରେଟର୍ସ ଏହି ନୂଆ ନିୟମାବଳୀକୁ ପାଳନ କରିବା ଅପରିହାର୍ଯ୍ୟ ପାଲଟିଛି । ତେଣୁ ନୂଆ ସମୟର ଆବଶ୍ୟକତା ପୂରଣ ପାଇଁ ଦେଶର ପ୍ରସାରଣ କ୍ଷେତ୍ରରେ ନୂତନ ପୂର୍ଣ୍ଣାଙ୍ଗ ଓ ସମୟ ଉପଯୋଗୀ ଆଇନର ଆବଶ୍ୟକତା ପଡିଛି । ସେଥି ପାଇଁ ସରକାର ଏହି ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ବିଲ୍ ୧୯୯୫ର ନିୟାମକ ଆଇନକୁ ପରିବର୍ତ୍ତନ କରିବାକୁ ଉଦ୍ଦିଷ୍ଟ । ଏଥିରେ ନିୟାମକ ବ୍ୟବସ୍ଥାକୁ ସୁସଂହତ ଓ ସମୟ ଉପଯୋଗୀ କରାଯାଇଥିବାବେଳେ ଏହାର ପରିସରକୁ ସଂପ୍ରସାରିତ କରାଯାଇଛି । ଏଥିରେ ଓଭର ଦି ଟକ୍ ବା ଓଟିଟି କଣ୍ଟେଣ୍ଟ ଏବଂ ଡିଜିଟାଲ ନ୍ୟୁଜ ତଥା ନୂଆ ଟେକ୍ନୋଲୋଜି ଗୁଡିକ ପାଇଁ ନୂତନ ସମସାମୟିକ ସଂଜ୍ଞା ଓ ବ୍ୟବସ୍ଥା ନିର୍ଦ୍ଧାରଣ ହୋଇଛି । ଏହି ବିଲ୍ରେ କଣ୍ଟେଣ୍ଟ ମୂଲ୍ୟାୟନ କମିଟି ଓ ପ୍ରସାରଣ ପରାମର୍ଶ ପରିଷଦ ଗଠନର ପ୍ରସ୍ତାବ ରହିଛି । ପ୍ରସାରଣ ପରାମର୍ଶ ପରିଷଦ ଆତ୍ମନିୟନ୍ତ୍ରଣ, ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମାବଳୀକୁ ତଦାରଖ କରିବ । ବିଭିନ୍ନ ନେଟୱାର୍କ ଅପରେସନ କାମ, ଭିନ୍ନକ୍ଷମଙ୍କୁ ସୁବିଧା ସୁଯୋଗ ପ୍ରଦାନ ଓ ବୈଧାନିକ ଜୋରିମାନା ଆଦି ବିଷୟରେ ଏହି ପରିଷଦ ମୁଖ୍ୟତଃ ନିର୍ଦ୍ଦେଶାବଳୀ ଜାରି କରିବ ।
ଏହି ପ୍ରସ୍ତାବିତ ବିଲ୍ରେ ସମଗ୍ର ପ୍ରସାରଣ କ୍ଷେତ୍ରର ଆଇନଗତ ଢାଞ୍ଚାକୁ ସୁଦୃଢ କରାଯାଇଛି । ପ୍ରୋଗ୍ରାମ କୋଡ୍ ଓ ବିଜ୍ଞାପନ କୋଡ୍କୁ ପାଳନ କରିବାକୁ ବିଷୟବସ୍ତୁ ମୂଲ୍ୟାୟନ (କଣ୍ଟେଣ୍ଟ ଇଭାଲ୍ୟୁସନ) କମିଟି ଗଠନର ପ୍ରସ୍ତାବ ରହିଛି । ବର୍ତମାନର ଆନ୍ତଃ ବିଭାଗୀୟ କମିଟି ପରିବର୍ତ୍ତେ ଗଠିତ ହେବ ପ୍ରସାରଣ ପରାମର୍ଶଦାତା ପରିଷଦ ଆର୍ଥିକ କ୍ଷମତାକୁ ଦେଖି ଜୋରିମାନା ଢାଞ୍ଚାକୁ ତାହା ସହିତ ସଂଯୁକ୍ତ କରାଯିବ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଲ୍ରେ ବ୍ୟବସ୍ଥା ରହିଛି ।
