କୋଲକାତା, – ମଙ୍ଗଳବାର ଦିନ କୋଲକାତା ମେୟର ଫିରହାଦ୍ ହକିମଙ୍କ ବିରୋଧରେ ବିଜେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି । ଗାର୍ଡନରିଚ୍ ଅଂଚଳରେ କୋଠା ଭୁଶୁଡ଼ିବା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଘୋଷଣା କରି ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ସୋମବାର ଦକ୍ଷିଣ କୋଲକାତା ଉପକଣ୍ଠରେ ଏକ ନିର୍ମାଣାଧୀନ ପାଂଚ ମହଲା କୋଠା ଭୁଶୁଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।
ମେୟର ହାକିମ, ନଗର ଉନ୍ନୟନ ମନ୍ତ୍ରୀ ଘଟଣାସ୍ଥଳରେ ପହଂଚି ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ । ମଙ୍ଗଳବାର ଦିନ ବିଜେପି ନେତା ଶିଶିର ବାଜୋରିଆ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ନିକଟରେ ଅଭିଯୋଗ କରିଛନ୍ତି । ଏଥିରେ ମେୟର କ୍ଷତିପୂରଣ ଘୋଷଣା କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଲଗାଇଛନ୍ତି ।
