ନୂଆଦିଲ୍ଲୀ, 26 ଅକ୍ଟୋବର (ହି.ସ.)-ପାଞ୍ଚ
ବର୍ଷର ଦୀର୍ଘ ବିରତି ପରେ ରବିବାରରୁ ପୁନର୍ବାର ଭାରତ ଓ ଚୀନ ମଧ୍ୟରେ ସିଧା ଉଡ଼ାଣ ସେବା ଆରମ୍ଭ
ହେବାକୁ ଯାଉଛି। ଇଣ୍ଡିଗୋ ୨୬ ଅକ୍ଟୋବରରୁ କଲକାତା-ଗୁଆଙ୍ଗଜୁ ଏବଂ ୧୦ ନଭେମ୍ବରରୁ
ଦିଲ୍ଲୀ-ଗୁଆଙ୍ଗଜୁ ଉଡ଼ାଣ ସେବା ଆରମ୍ଭ କରିବ। ଚୀନର ବିମାନ ସେବା ଚାଇନା ଇଷ୍ଟର୍ନ ମଧ୍ୟ ୯
ନଭେମ୍ବରରୁ ଶାଂଘାଇ-ଦିଲ୍ଲୀ ଉଡ଼ାଣକୁ ପୁନର୍ବାର ଆରମ୍ଭ କରିବାକୁ ଘୋଷଣା କରିଛି।
ଭାରତ ଓ ଚୀନ ମଧ୍ୟରେ ସିଧା
ଉଡ଼ାଣ ସେବା ୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀ ପରେ ବନ୍ଦ ହୋଇଥିଲା। ପୂର୍ବ ଲାଦାଖରେ ଚାରି
ବର୍ଷ ଧରି ଚାଲୁଥିବା ସୀମା ସଂଘର୍ଷ ଯୋଗୁଁ ଏହି ସେବାର ପୁନଃସ୍ଥାପନା ବାରମ୍ବାର ବିଳମ୍ବିତ
ହେଉଥିଲା।
ଗତ ୩୧ ଅଗଷ୍ଟରେ ଚୀନର
ତିଆଞ୍ଜିନ ସହରରେ ରାଷ୍ଟ୍ରପତି ସି ଜିନପିଙ୍ଗ ସହିତ ସାକ୍ଷାତକାର ପରେ ଦିଆଯାଇଥିବା ବକ୍ତବ୍ୟରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ସିଧା ଉଡ଼ାଣ ସେବା ପୁନଃ ଆରମ୍ଭ କରିବା ବିଷୟରେ
ଆଲୋଚନା ଚାଲିଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
