ହାଇଦ୍ରାବାଦ, 4 ଡିସେମ୍ବର (ହି.ସ.)ସୋମବାର ଦିନ ମେଡକ ଜିଲ୍ଲାର ତୁଫ୍ରାନ ମଣ୍ଡଳର ରଭେଲି ପାହାଡ ଅଞ୍ଚଳରେ ସକାଳ ପ୍ରାୟ 9ଟା ବେଳେ ଏୟାରଫୋର୍ସର ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏୟାରକ୍ରାଫ୍ଟରେ ଥିବା ଦୁଇଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ଡଣ୍ଡିଗଲା ବାୟୁସେନା ଅଧିକାରୀ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ପୋଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ବିମାନର ଚିହ୍ନଟ କରାଯାଇଛି । ଏହା ଡଣ୍ଡିଗଲ ଏୟାରପୋର୍ଟରୁ ଉଡାଣ ଭରିଥିଲା । ଦୁଇଜଣ ପାଇଲଟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଦୁର୍ଘଟଣା ପରେ ଏୟାରକ୍ରାଫ୍ଟରେ ଭୟାବହ ନିଆଁ ଲାଗିଯାଇଥିଲା । ନିକଟସ୍ଥ କ୍ଷେତରେ କାମ କରୁଥିବା ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ, ମାତ୍ର ଭୟାବହ ନିଆଁ ଯୋଗୁ ପାଖକୁ ଯାଇପାରିନଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଡଣ୍ଡିଗଲ ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଟେକ୍ନିକାଲ ସମସ୍ୟା କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
