ବାରିପଦା, ୧୮ ଅକ୍ଟୋବର – ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ୨୭୫୦ ବର୍ଗ କି.ମି. ପରିବ୍ୟାପ୍ତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଦ୍ଵାରା ଆଜି ଠାରୁ ବାଘ ଗଣନା ଆରମ୍ଭ ହୋଇଛି । ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ବାଘ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୭୦୦ରୁ ଉର୍ଦ୍ଧ୍ଵ କର୍ମଚାରୀ । ପ୍ରତିଦିନ ସକାଳ ୯ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବାଘ ଗଣନା କାର୍ଯ୍ୟ କରାଯିବ । ପ୍ରକଳ୍ପର ୧୯ଟି ରେଞ୍ଜ୍ ର ୨୦୯ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରେଞ୍ଜ୍ ଅଫିସର, ଏସିଏଫ ଓ ଉପନିର୍ଦ୍ଦେଶକ ମାନେ ଉକ୍ତ କାର୍ଯ୍ୟର ତଦାରଖ କରୁଛନ୍ତି ।
ଗଣନା ବେଳେ ମୁଖ୍ୟତଃ ବାଘର ରାମ୍ପୁଡ଼ା, ପାଦ ଚିହ୍ନ, ମଳ ଏବଂ କେଉଁ ରାସ୍ତାରେ କେଉଁ ବନ୍ୟପ୍ରାଣୀ ଚଳାଚଳ କରୁଛନ୍ତି ତାହାର ଡାଟାବେସ୍ କୁ ସଂଗ୍ରହ କରାଯିବ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସାଇନ୍ ସର୍ଭେ, ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଲାଇନ୍ ଟ୍ରାଂଜେକ୍ଟ ଏବଂ ନଭେମ୍ବର ୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।
