ଝାରସୁଗୁଡ଼ା, ୨୭ ଜାନୁଆରୀ – ଦେଶର ଅଖଣ୍ଡତା, ସାର୍ଵଭୌମତ୍ଵ, ଏକତା ଓ ଜାତୀୟ ସଂହତିକୁ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ମନମୋହନ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ ପୂର୍ବକ ସମବେତ ଜନତା ଓ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଘଡ଼ାଇ, ଦେଶର ପ୍ରତ୍ୟେକ ନାଗରିକ କାନ୍ଧରେ କାନ୍ଧ ମିଶାଇ ତ୍ୟାଗ ଓ ସଂକଳ୍ପର ମାର୍ଗକୁ ଆପଣେଇ ହିଂସା ପରିହାର ପୂର୍ବକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଉଦବୁଦ୍ଧ ହେବା ସହ ଦେଶ ନିର୍ମାଣରେ ନିଜକୁ ଉତ୍ସର୍ଗ କରିବା ଓ ରାଷ୍ଟ୍ରର ସାର୍ବଭୌମତ୍ଵ, ସଂହତି ଓ ଜାତୀୟ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ଵାନ ଦେଇଥିଲେ । ରାଷ୍ଟ୍ର ନିର୍ମାଣରେ ମହାପୁରୁଷ, ସ୍ଵାଧୀନତା ସଂଗ୍ରାମୀ ଓ ନେତୃମଣ୍ଡଳୀଙ୍କ ତ୍ୟାଗ ତପସ୍ୟା ସ୍ମରଣ ପୂର୍ବକ ଏମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀ ଘଡ଼ାଇ ।
ଏହି ଅବସରରେ ମୁଖ୍ୟ ଅତିଥି ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବାଳ ଗଙ୍ଗାଧର ତିଳକ, ଡଃ. ଭୀମରାଓ ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ, ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ବିର୍ସା ମୁଣ୍ଡା ଓ ବିଜୁ ପଟ୍ଟନାୟକ ପ୍ରମୁଖଙ୍କୁ ସ୍ମରଣ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ୟାରେଡ଼ରେ ପୋଲିସ ବ୍ୟାଣ୍ଡ ସହ ସ୍କୁଲ କଲେଜର ମୋଟ ୨୯ଟି ଦଳ ଅଂଶଗ୍ରହଣ କରିଥିଲେ। ସିନିଅର ଡିଭିଜନରେ ମହିଳା ମହାବିଦ୍ୟାଳୟ ଏୟାର ଉଇଙ୍ଗ, ଜୁନିଅର ଡିଭିଜନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର (ହିନ୍ଦୀ ) ଓ ସବ୍ ଜୁନିଅର ସ୍ତରରେ ବିକାଶ ଟେକ୍ନୋ ସ୍କୁଲ ଶ୍ରେଷ୍ଠ ପ୍ୟାରେଡ଼ ଦଳ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଜାତୀୟ ସ୍ଵାସ୍ଥ୍ୟ ମିଶନ, କୃଷି ଉଦ୍ୟାନ, ମିଶନ ଶକ୍ତି, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଓଡ୍ରାଫ ଓ ମିଲେଟ ମିଶନର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଜିଲ୍ଲା ସ୍ତରୀୟ ପ୍ୟାରେଡ଼ ପରିଚାଳନା କରିଥିଲେ ରିଜର୍ଭ ଇନିଷ୍ପେକ୍ଟର ଗଗନ କୋଲିୟାର ମହାନ୍ତ ଓ ସର୍ଜେଣ୍ଟ ଅମିତ୍ କୁମାର କିର୍ତ୍ତନିଆ। ଏହି ଅବସରରେ ଦୁର୍ଘଟଣାଗସ୍ତ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦୁଇଜଣଙ୍କୁ ଗୁଡ ସାମାରିଟାନ ପୁରସ୍କାର, ସ୍ଵାସ୍ଥ୍ୟ ସେବା ପାଇଁ ଜଣଙ୍କୁ, ପୁଲିସ ସେବା ପାଇଁ ଦଶ ଜଣଙ୍କୁ, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଚାରିଜଣ ଜଣଙ୍କୁ ଓ ପାଞ୍ଚ ଜଣ ବି ଏଲ ଙ୍କୁ ସମ୍ମାନିତ କରାଯାଇଥିଲା। ଲାୟନ୍ସ କ୍ଲବ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସେହିପରି ଉପ କାରାଗାରରେ ଭଏଏସ୍ ଅଫ ଓମେନ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ସହ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପ୍ରବୀର ଜୁମାର ନାୟକ, ପୁନର୍ବାସ ଓ ଥଇଥାନ ପ୍ରବନ୍ଧକ ନିର୍ଦ୍ଦେଶକ ଆଲୋମଣି ସେଠୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ଵର ଅମାତ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ଵାଇଁ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ ଦିବସ ପାଳନ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
