








ମାଲକାନଗିରି,୨୬ ଜାନୁଆରୀ :- ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂ ଯୋଗଦେଇ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଅଭିବାଦନ ଜଣାଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତେଶ ୱାଧୱାନୀ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି, ଆଜି ସମଗ୍ର ବିଶ୍ଵରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରଶଂସା କରାଯାଉଛି । ଏହି ମହାନ ପରମ୍ପରାକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ଵ ହେବା ଆବଶ୍ୟକ । ସମ୍ବିଧାନ ସଭାର ଅଧ୍ୟକ୍ଷ ଡ଼ଃ. ଭୀମରାଓ ଆମ୍ବେଦକର, ଡ଼ଃ. ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଜବାହାରଲାଲ ନେହେରୁ, ଏନ୍.ଗୋପାଲ ସ୍ଵାମୀ, କେ.ଏମ୍. ମୁନ୍ସୀ, ମୌଲାନା ଆବୁଲ୍ କାଲାମ ଆଜାଦ୍, ଡ଼ଃ ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାଶ, ମାଳତୀ ଚୌଧୁରୀ ଆଦି ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ, ସଦସ୍ୟାମାନଙ୍କ ଉଦ୍ଦେଶ୍ୟରେ ମଧ୍ଯ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଉତ୍କଳମଣି ଗୋପବନ୍ଧୁ ଦାସ, ଡ଼ଃ ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାଶ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ପ୍ରମୁଖ ସଂଗ୍ରାମୀମାନଙ୍କୁ ମଧ୍ୟ ସଂଗ୍ରାମୀ ଅଭିବାଦନ ଜଣାଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାରେ ବିମାନବନ୍ଦର ହେବା ଦ୍ଵାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ । ମାଲକାନଗିରି ଜିଲ୍ଲାର ଅପହଞ୍ଚ ଅଞ୍ଚଳର ଜନସାଧାରଣ ସୁବିଧାରେ ଯାତାୟତ ପାଇଁ ରାଜ୍ୟ ସରକାର ୨୧ଟି ସଡ଼କ ପାଇଁ ୧୫୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅନୁଦାନରେ ୧୭୨. ୫୩ କିଲୋମିଟର ରାସ୍ତା ନିର୍ମାଣ ହେବ। ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମି ବିକାଶ ପାଇଁ ୭ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ମଲ୍ଲିକେଶ୍ଵର ଶୈବପୀଠ, ହନ୍ତାଲଗୁଡା, ସତୀଗୁଡା, ଗୁରୁପ୍ରିୟା ସେତୁ ନିକଟରେ ସୌନ୍ଦର୍ଯ୍ୟକରଣ, ଗାଙ୍ଗରାଜଗୁମ୍ମା, ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ପାର୍କ ଓ ସୀତାକୁଣ୍ଡର ବିକାଶ ହେବ ବୋଲି ଜିଲ୍ଲାପାଳ ଉଦବୋଧନ ଦେଇଛନ୍ତି। ଆଜିର ସାଧାରଣତନ୍ତ୍ର ଦିବସରେ ପରେଡରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦଳ, ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସରକାରୀ କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଅଛି।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତି ଓ ସରୋଜ ପଟ୍ଟନାୟକ ସହଯୋଗ କରିଥିଲେ।
