ଭୁବନେଶ୍ୱର, 24 ଜାନୁଆରୀ (ହି.ସ.)- ଓଡ଼ିଶାରେ ବିଶେଷତଃ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟର ସୌଧ ଉଦ୍ଘାଟିତ ହେବା ସ୍ୱାଗତଯୋଗ୍ୟ । ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ ଅତ୍ୟନ୍ତ ପୁରାତନ । ବେସରକାରୀ ନଥିପତ୍ରକୁ ଆଧାର କରି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଉଲ୍ଲେଖଯୋଗ୍ୟ । ପୂର୍ବଘୋଷିତ ସରକାରୀ ନଥିପତ୍ରରେ ଓଡିଆ ଭାଷାକୁ ସରକାରୀ ଭାଷା କରିବା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅପରପକ୍ଷରେ ଓଡିଆ ବା ଓଡିଶା ପରିବର୍ତେ ‘ନୂଆ- ଓ’ ଓଡିଆ ଭାଷାର ଅପପ୍ରୟୋଗ ବା ଅପଭ୍ରଂଶ ହୋଇଛି । ତୃଣମୂଳସ୍ତର ଠାରୁ ଆରମ୍ଭ କରି ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ସରକାରୀସ୍ତର ପର୍ଯ୍ୟନ୍ତ ଓଡିଆ ଭାଷାର ପ୍ରଚଳନ ଉନ୍ନୟନ ଗୁରୁତ୍ୱକୁ ଅଦ୍ୟାବଧି ଅଣଦେଖା କରାଯାଇଛି । ବିଜେଡି ସରକାରର ଓଡିଆ ଭାଷା ପ୍ରୀତି ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ବିଜେପି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
ଆଜି ଓଡିଆ ବିଶ୍ୱବିଦ୍ୟାଳୟ ସୌଧ ଉଦ୍ଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ ହେବା; ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ସଳଖ କରି କହିନପାରୁଥିବା ଓଡିଆ ବ୍ୟଙ୍ଗ କାର୍ଯ୍ୟକ୍ରମରେ ସମାଲୋଚିତ ହେଉଥିବା; ସ୍ଥାନୀୟ ପ୍ରତିନିଧିଙ୍କ ମଂଚ ମଣ୍ଡନରେ ହେଉଥିବା ସରକାରଙ୍କ ଓଡିଆ ଭାଷା ପ୍ରତି କେତେ ଦୂର ଆନ୍ତରିକତା ତାହା ସ୍ପଷ୍ଟ କରୁଛି । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ସହ ସଂପୃକ୍ତ ପ୍ରତିଷ୍ଠିତା ବ୍ୟକ୍ତିବିଶେଷ ପ୍ରାଧ୍ୟାପକ, ଗବେଷକ, ସାହିତ୍ୟିକ, ଗାଳ୍ପିକ, ଓଡିଆ ଭାଷା ଆନ୍ଦୋଳନ ସହ ସଂପୃକ୍ତ ବିଶିଷ୍ଠ ଏବଂ ଅନୁଷ୍ଠାନ, ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରଷ୍କୃତ ବ୍ୟକ୍ତିବିଶେଷଙ୍କ ଅନୁପସ୍ଥିତିରେ ଆଜିର ଉଦ୍ଘାଟନ ହେବା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ । ସେହିପରି ସମ୍ବଲପୁରୀ, ଆଦିବାସୀ, ସାନ୍ତାଳୀ ବିଭିନ୍ନ ଭାଷା ପୋଥି ପୁରାଣ, ଶୀଳାଲିପି, ଗ୍ରନ୍ଥାକାର ସହ ସଂପୃକ୍ତ କୌଣସି ବ୍ୟକ୍ତିବିଶେଷଙ୍କୁ ଡକାନଯାଇ ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କିଛି ଲୋକଙ୍କୁ ନେଇ ଉକ୍ତ ଉଦ୍ଘାଟନ ସରକାରଙ୍କ ଆନ୍ତରିକତା ପ୍ରତି ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଗତ ୨୭ନଭେମ୍ବର ୨୦୧୭ରୁ ଓଡିଆ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ୬ରୁ ୭ବର୍ଷ ବିତିଲା ପରେ ବି ଓଡିଆ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ପୂର୍ଣ୍ଣାଙ୍ଗ ନହୋଇ ଅଧାପନ୍ତରିଆ ଉଦ୍ଘାଟନ ହେବା ଦୁର୍ଭାଗ୍ୟଜନକ । ମାତ୍ର ୯ଏକର ଜମି ଏବଂ ୭୨ ଛାତ୍ରଛାତ୍ରୀ ଓ ତିନୋଟି ବିଷୟ ନେଇ ଓଡିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିବା ସହିତ ଶିକ୍ଷାର ବ୍ୟବସାୟୀକରଣକୁ ବିଜେଡି ସରକାର ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । ନିର୍ବାଚନକୁ ଲକ୍ଷ୍ୟ ରଖି ବିଶ୍ୱ ଓଡିଆ ସମ୍ମିଳନୀ ପୂର୍ବରୁ ତରବରିଆ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବା ପ୍ରଚାର ସର୍ବସ୍ୱ ରାଜନୀତି ନୁହେଁ କି ବୋଲି ଶ୍ରୀ ବଳିୟାରସିଂହ ପ୍ରଶ୍ନ କରିଛନ୍ତି । ଓଡିଆ ବିଶ୍ୱବିଦ୍ୟାଳକୁ ସତ୍ୟବାଦୀ ସମେତ ସାରା ରାଜ୍ୟବାସୀ ସ୍ୱାଗତ କରୁଛନ୍ତି । କିନ୍ତୁ ଏହା ରାଜ୍ୟର ହିତ ତଥା ଓଡିଆ ଅସ୍ମିତା ଦୃଷ୍ଟିକୋଣରୁ ପ୍ରଚାର ସର୍ବସ୍ୱ ନହୋଇ ଓଡିଆ ଭାଷା ସହ ସମସ୍ତ ବର୍ଗଙ୍କୁ ସଂପୃକ୍ତ କରିବା ସହ ଅନ୍ୟାନ୍ୟ ଭାଷାଭିତିକ ବିଶ୍ୱବିଦ୍ୟାଳୟ ଠାରୁ ଶିକ୍ଷାଦାନ, ଗବେଷଣା, ସୁଖ୍ୟାତି, ଭିତିଭୂମି ସବୁଦୃଷ୍ଟିରୁ ଉନ୍ନତ ଓ କୋଟି କୋଟି ଓଡିଆଙ୍କର ଆଶା ଆକାଂକ୍ଷା ପୂର୍ଣ୍ଣ କରିବାରେ ସମର୍ଥ ହେଉ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
