ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ଦିନରେ କଲେଜରେ ଅଧ୍ୟାପକମାନେ ପାଠ ପଢ଼ାଉ ଥିବାବେଳେ ରାତିରେ ରାତ୍ରି ଜଗୁଆଳି ବାହାରୁ ଦେହଜୀବୀମାନଙ୍କୁ ଡକାଇ କଲେଜ ପରିସରରେ ଦେହ ବେପାର କରୁଥିବା ଖବର ପାଇ ପୋଲିସ ଗିରଫ କରିଛି ରାତ୍ରି ଜଗୁଆଳିଙ୍କୁ । ଏପରି ଏକ ଘଟଣା ଘଟିଛି ପାଟଣାଗଡ ବ୍ଲକ ଯୋଗୀମୁଣ୍ଡା ସ୍ଥିତ ରାଜେନ୍ଦ୍ର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ । ସୂଚନା ମତେ କଲେଜରେ ରାତ୍ର ସମୟରେ ଅନେକ ଦିନ ହେଲା ଦେହ ବେପାର ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଟିମ୍ ରବିବାର ରାତିରେ ଚଢ଼ାଉ କରି ବଲାଙ୍ଗିର ଅଂଚଳର ଜଣେ ଦେହଜୀବୀ ସହ କଲେଜର ରାତ୍ରି ଜଗୁଆଳି ଟିକେରାମ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସର ଚଢ଼ାଉ ସମୟରେ ରାତ୍ରିର ସୁଯୋଗ ନେଇ ଗ୍ରାହକମାନେ ଖସି ପଳାଇ ଯାଇଛନ୍ତି ବୋଲି ଜଣାପଡିଛି । ଏହି ଦେହ ବେପାରରେ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି, ତାହା ପାଟଣାଗଡ଼ ପୋଲିସ ତଦନ୍ତ କରୁଥିବା ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଜାଗାରେ ଦେହ ବେପାର ଭଳି ହୀନ କାମ ଚାଲୁଥିବା ନେଇ ଜନସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । କଲେଜ ଅଧ୍ୟକ୍ଷ ଏସମ୍ପର୍କରେ କିଛି ଖବର ତାଙ୍କ ପାଖରେ ନଥିବା ବେଳେ ପୁଲିସ ଠାରୁ ଖବର ପାଇଲା ପରେ କଲେଜ ସଭାପତି ପାଟଣାଗଡ଼ ସବ କଲେକ୍ଟରଙ୍କୁ ଖବର କରି ରାତ୍ରି ଜଗୁଆଳିଙ୍କୁ ନିଳମ୍ବନ କରିଥିବା କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
…………………………………/ବନ୍ଦନା
