ଭୁବନେଶ୍ୱର, 23 ଜାନୁଆରୀ (ହି.ସ.) – ଭାରତବର୍ଷର ମହାନ୍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀକୁ ନେତାଜୀଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଦେଶପ୍ରେମ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସରରେ ଫରୱାର୍ଡ଼ ବ୍ଲକ ଓ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ସଂଗଠିତ ହୋଇଥିଲା । ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ପାଳନ କରିବା ଦାବିରେ ଏହି ମଶାଲ ଶୋଭାଯାତ୍ରା ଭୁବନେଶ୍ୱର ଏ.ଜି ଛକରୁ ବାହାରି ରାଜମହଲ ଛକଦେଇ ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେହିପରି ମଙ୍ଗଳବାର ସକାଳୁ ଉଭୟ ସଂଗଠନ ପକ୍ଷରୁ ରସୁଲଗଡ଼ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମଲ୍ୟାର୍ପଣ କରାଯାଇଥିଲା । ପରେ ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ନେତାଜୀ ଭବନ ପରିସରରେ ଦେଶପ୍ରେମ ଦିବସ ଏବଂ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଫରୱାର୍ଡ଼ ବ୍ଲକର ରାଜ୍ୟ ଉପସଭାପତି ସର୍ବେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଫରୱାର୍ଡ଼ ବ୍ଲକର ପୂର୍ବତନ ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଭାରତବର୍ଷର ସାଧାରଣ ମଣିଷ ଯନ୍ତ୍ରଣା ଜର୍ଜରିତ ଜୀବନ ଅତିବାହିତ କରୁଛି ବୋଲି କହିବା ସହ ଶ୍ରମଜୀବି ଜନତାଙ୍କ ସମସ୍ୟାର ସମାଧାନ ପାଇଁ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ ହିଁ ଏକମାତ୍ର ବିକଳ୍ପ , ଏହି ପଥର ପଥିକ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ବକ୍ତବ୍ୟ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ଫଳରେ ଦେଶରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଥିବା ପ୍ରକାଶ କରିବା ସହ ଏହି ସରକାରମାନଙ୍କ ଅମଳରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ବୋଲି ମତବ୍ୟକ୍ତ କରିଥିଲେ । ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବଛାତ୍ରମାନେ ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକର ରାଜ୍ୟ ନେତା ଶମ୍ଭୁପ୍ରସାଦ ମହାନ୍ତି, ସୁଶିଲ ଥାନପତି, ଲକ୍ଷ୍ମୀ ଦୋରା, ଆଜାଦ୍ ହିନ୍ଦ୍ ବାହିନୀର ରାଜ୍ୟ ସମ୍ପାଦିକା ସୁବତି ଆଜାଦ୍, ପୂର୍ଣ୍ଣଚନ୍ଦ୍ର ଗଲରି, ଉତ୍କଳିକା ମହାନ୍ତି, ଦିଶା ଆଜାଦ୍, ପି. ମୁରଲୀକୃଷ୍ଣ, ଦୁର୍ଯ୍ୟୋଧନ ପୂଜାରୀ, ତିଳୋତମା ନାଗ ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କ ଆଦର୍ଶରେ ଦେଶର ଯୁବକଛାତ୍ରମାନେ ଐକ୍ୟବଦ୍ଧ ଅଭିଯାନ ଜାରି ରଖିଲେ, ଦେଶରେ ପରିବର୍ତନ ଅବଶମ୍ଭାବି ହୋଇପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ ।
ଅପରାହ୍ନରେ ଭୁବନେଶ୍ୱର ନିକଟସ୍ଥ ଗଙ୍ଗପଡ଼ାଠାରେ ଆଜାଦ୍ ହିନ୍ଦ୍ ବାହିନୀର ଏକ ତାଲିମ କେନ୍ଦ୍ର ନିର୍ମାଣ ପାଇଁ ଦେବବ୍ରତ ବିଶ୍ୱାସ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସନ୍ଧ୍ୟାରେ ନେତାଜୀ ଭବନ ପରିସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
