
ବୁଢାପାଳରେ ଖେଳର ଏକ ସକାରାତ୍ମକ ବାତାବରଣ ତିଆରି ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
ବୁଢାପାଳ/ଭୁବନେଶ୍ୱର, 15 ଜାନୁଆରୀ (ହି.ସ.)– ଆମ ଦେଶରେ କ୍ରିକେଟ୍ ଏକ ରୁଚିପୂର୍ଣ୍ଣ ଖେଳ । କ୍ରିକେଟକୁ ନେଇ ବିଶେଷ ଲୋକପ୍ରିୟତା ଅଛି । ତେବେ କେବଳ କ୍ରିକେଟ୍ ନୁହେଁ ଫୁଟବଲ, ଭଲିବଲ୍, ବ୍ୟାଡମିଣ୍ଟନ ଭଳି ସବୁ ଖେଳକୁ ପ୍ରୋତ୍ସାହନ ଦିଆଯିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେବଗଡ଼ ଜିଲ୍ଲା ବୁଢାପାଳ ଠାରେ ‘ଫ୍ରେଣ୍ଡ୍ସ କ୍ଲବ’ ପକ୍ଷରୁ ଆୟୋଜିତ ‘ବୁଢାପାଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳିଲେ ଶାରିରୀକ ସୁସ୍ଥତା ଭଲ ରୁହେ । ଅଧିକସଂଖ୍ୟକ ଯୁବବର୍ଗଙ୍କ ଦେଶ ଭାରତରେ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଆମର ଯୁବକ ଯୁବତୀମାନେ ଅଲିମ୍ପିକ୍ସ ପ୍ରତିଯୋଗିତାରେ କିପରି ଅଧିକରୁ ଅଧିକ ପଦକ ଆଣି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ, ସେ ଦିଗରେ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର ।
ଫ୍ରେଣ୍ଡ୍ସ କ୍ଲବ ବୁଢାପାଳ ସ୍ଥାନୀୟ ଅଂଚଳରେ ଖେଳର ଏକ ସକାରାତ୍ମକ ବାତାବରଣ ତିଆରି କରିଛି । ପୂର୍ବରୁ ଥିବା ପାହାଡ ଘନ ଜଙ୍ଗଲରେ ପରିଣତ ହୋଇଛି । ଆଜି ବଲାଙ୍ଗୀର ଓ ସମ୍ବଲପୁର କ୍ରିକେଟ୍ ଫାଇନାଲ ମ୍ୟାଚରେ ଉଭୟ ଦଳ ଭଲ ଖେଳିଲେ । ତେବେ ପରାଜୟ କରିଥିବା ସମ୍ବଲପୁର ମନ ଦୁଃଖ ନ କରି ଆତ୍ମସମୀକ୍ଷା କରିବା ଦରକାର । ଆତ୍ମସମୀକ୍ଷା କଲେ ହିଁ ଜିତିବାର ରାସ୍ତା ପ୍ରଶସ୍ତ ହୁଏ । ବୁଢାପାଳରେ ଏହି ସଂସ୍କାର ଅଛି । କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଅବସରରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମନ୍ଦିର ଓ ତୀର୍ଥସ୍ଥଳିକୁ ପରିଷ୍କାର ରଖିବା ସହ ଜାନୁଆରୀ ୨୨ ତାରିଖରେ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା ପାଇଁ ଆହ୍ୱାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
