ପୁରୀ, ୧୧ ଡ଼ିସେମ୍ବର (ହି.ସ.)- କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ଏହାର ସଫଳତା ପାଇଁ କୃଷକ ମାନଙ୍କୁ ସଚେତନ ଓ ସହଯୋଗ କରାଯାଉଛି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପୁରୀ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଚଳିତ ମାସ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଶରଧାବାଲି ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏହି କୃଷି ମହୋତ୍ସବ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏଥିରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି। ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନାଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ। ଚଳିତ ବର୍ଷ ଜିଲ୍ଲା ପାଇଁ ପ୍ରାୟ ୧୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ଓ କୃଷି ନିର୍ଵାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପରିଡା ମେଳା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏହି ମେଳାରେ ପ୍ରତିଦିନ ୧୦୦ ଜଣ ଅଗ୍ରଣୀ ଚାଷୀ ମାନଙ୍କ ସହ ଆଲୋଚନା ଓ ମେଳା ପରିଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଲକରୁ କୃଷି ଓ ଆନୁଷଙ୍ଗିକ ବିଭାଗର ୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା କରାଯିବ। ଚଳିତ ବର୍ଷ ଜିଲ୍ଲା ପାଇଁ କୃଷି ଯନ୍ତ୍ରପାତି ବିକ୍ରୟର ଧାର୍ଯ୍ୟ ଲକ୍ଷ୍ୟ ୧୦ କୋଟି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ କୋଟି ୬୮ ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରୟ ହୋଇଥିବା ବେଳେ ଚଳିତ ମେଳାରେ ଏହାର ଲକ୍ଷ୍ୟ ପୂରଣ ହୋଇପାରିବ । କୃଷି ଯନ୍ତ୍ରପାତିରେ ପୁରୁଷ ଚାଷୀ ମାନଙ୍କ ପାଇଁ ଶତକଡା ୪୦ ଭାଗ, ମହିଳା ଚାଷୀଙ୍କୁ ୫୦ ଭାଗ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୭୫ ଭାଗ ରିହାତି ରହିଛି । ପ୍ରତ୍ୟହ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ବୋଲି ସେମାନେ ସୂଚନା ଦେଇଥିଲେ ।
ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ କୃଷି କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
