ଭୁବନ, ୨ ନଭେମ୍ବର (ହି.ସ.)- ଜଗଜ୍ଜନନୀ, ଧନଦାତ୍ରି, ଅନ୍ନପୂର୍ଣ୍ଣା ମା ‘ ଲକ୍ଷ୍ମୀଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇପଡ଼ିଛି । ଚଳିତ ବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡ଼ହାଟ ସମେତ ଅରାସାହି, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର, ବଉଳ ଛକ, ଲତାବିଲ ( ଟୋଲଙ୍କ ବେରେଣି), ଅରବିନ୍ଦ ମାର୍ଗ, ଗୋପାଳ ମଣ୍ଡପ, ଲକ୍ଷ୍ମୀ ଛକ, ବଣିଆ ସାହି, ବାଜି ଛକ, ନୂଆ ଭୁବନ ପ୍ରଭୃତି ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ବ ମଣ୍ଡପରେ ଆଜି କାର୍ତ୍ତିକ ମାସ ପ୍ରଥମ ଗୁରୁବାରରେ ସମସ୍ତ ପୂଜା ପ୍ରତିଷ୍ଠାନରେ ମା ଲକ୍ଷ୍ମୀଙ୍କ ବଡ଼ପୂଜା ନିତିକାନ୍ତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୁରୋହିତଙ୍କ ମନ୍ତ୍ରଧ୍ଵନୀ ସାଙ୍ଗକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ମା ଙ୍କ ବଡପୂଜା ଅନୁଷ୍ଠିତ ହୋଇଥିବା ବେଳେ ଅରାସାହି ଓ ନୁଆବଜାରରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ ।
ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ପୋଲିସ ବାହିନୀ, ବ୍ୟାଙ୍କ୍ କର୍ମଚାରୀ, ସାହି ବାସିନ୍ଦା ଓ ବଣିକ ସଂଘର ସମସ୍ତ ସଭ୍ୟ ଓ କର୍ମଚାରୀ ସାମୁହିକ ପ୍ରସାଦ ସେବନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ପ୍ରଦୀପ୍ତ/ସମନ୍ୱୟ
