ମାଲକାନଗିରି/ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.) – ମାଲକାନଗିରି ଜିଲ୍ଲାର ନିଲିଗୁଡା, ମାଟେରୁ, ପଡିଆ କାଲଦାପାଲ୍ଲି ଓ ସମିଲି ବାଂଚା ଗ୍ରାମ ପଂଚାୟତରେ ଚାଷ ପାଇଁ କେନାଲ ନଥିବା ଦ୍ୱାରା ପ୍ରତିବର୍ଷ ଫସଲ ନଷ୍ଟ ହେଉଛି । ଚଳିତବର୍ଷ ମଧ୍ୟ କ୍ଷେତକୁ ପାଣିର ଆବଶ୍ୟକତା ଥିବାବେଳେ ବର୍ଷା ନହେବାରୁ ପାଣି ପାଇଁ ଚାଷୀ ହଇରାଣ ହେଉଛି । ବର୍ଷା ଅଭାବରୁ ଧାନ ଗଛ ମରିବାରେ ଲାଗିଲାଣି । ପାଣି ଯୋଗାଇ ନଦେଲେ ଖୁବ ଶୀଘ୍ର ଚାଷ ନଷ୍ଟ ହୋଇଯିବ । ଚାଷ ଜମିକୁ ପାଣି ଦିଆଯାଉ ନଚେତ ଜିଲ୍ଲାକୁ ମରୁଡି ଘୋଷଣା କରାଯାଉ ବୋଲି ରାଜ୍ୟ ବିଜେପି ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି । ମରୁଡି ଘୋଷଣା ଦାବିରେ ଆଜି ଭାରତୀୟ ଜନତା ପାର୍ଟି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି । ଜିଲ୍ଲାର ଚାଷୀ ମାନଙ୍କ ପାଇଁ କେନାଲ ନିର୍ମାଣ କରାଯାଉ ବୋଲି ଦାବି କରିଛି । ଏଥିସହ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ବିଜେପି ଦାବି କରିଛି ।
ସେହିପରି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆବାସ ଯୋଜନା ଘର ଫଳକମାନଙ୍କରେ ବିଜୁ ପକ୍କାଘର ଯୋଜନାର ଲୋଗ ଅଙ୍କନ କରାଯାଉଛି । ଏହାକୁ ଯଥାଶୀଘ୍ର ବାଦ କରାଯାଉ ଓ ପଡିଆ ବ୍ଲକର ସର୍ବସାଧାରଣଙ୍କ ପାଇଁ ଆସୁଥିବା କୋଟି କୋଟି ଅର୍ଥକୁ ବିନା ପଲ୍ଲିସଭା ଓ ଗ୍ରାମସଭା ଅନୁମତିରେ ମନଇଛା ଖର୍ଚ୍ଚ କରାଯାଉଛି । ସେହିପରି ବ୍ଲକ କାର୍ଯ୍ୟାଳୟ ଦ୍ୱାରା ଆରଟିଜିଏସ ମାଧ୍ୟମରେ ଗୋଟିଏ ସର୍ବସାଧାରଣ ସଂସ୍ଥାର ବ୍ୟାଙ୍କ ଜମାଖାତାକୁ ଲକ୍ଷ ଲକ୍ଷ ଟଙ୍କା ଭ୍ରଷ୍ଟାଚାର କରି ଟଙ୍କା ଟ୍ରାନ୍ସଫର କରାଯାଇଛି । ତୁରନ୍ତ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି ।
ଏହି ଅବସରରେ ମାଲକାନଗିରି ଜିଲ୍ଲା ସଭାପତି ନିମାଇଁ ପାଲ, ପୂର୍ବତନ ଜିଲ୍ଲା ସଭାପତି ଗୁରୁ ଚରଣ ମହାନ୍ତି, ପଡିଆ ମଣ୍ଡଳ ସଭାପତି ପି.ଭେଙ୍କେଟେଶ୍ୱର ରାଓ, ବିଧାୟକ ପ୍ରତିନିଧି କେ ବାଲେୟା, ନିହାର ରାଏ, ରତ୍ନାକର ପାଣିଗ୍ରାହୀ, ବଜା ମାଡକାମୀ, ନରସିଂହ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
