ପୁରୀ, ୧୭ ଡିସେମ୍ବର (ହି.ସ.)- କୁମ୍ଭକାରମାନଙ୍କ ପବିତ୍ର କୁରାଳ ପଚଂମୀ ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଏହା ୫ ଦିନ ଧରି ଚାଲିବ । ମାର୍ଗଶୀର ଶୁକ୍ଳ ପଚଂମୀ ତିଥିରୁ ଏହି ପର୍ବ ଆରମ୍ଭ ହୋଇ ବିଭିନ୍ନ ପୂଜାବିଧି ଅନୁସାରେ ଆସନ୍ତା ୨୧ ତାରିଖରେ ଉଦଯାପିତ ହେବ । ପୁରୀ ସହରର କୁମ୍ଭାରପଡ଼ା, ଜେନାପୁର, ଟିକରପଡ଼ା, ନୂଆସାହିରେ ଥିବା କୁମ୍ଭକାରମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଚକ, ହାଣ୍ଡିଗଢା ସରଞ୍ଜାମ, ପିଣ୍ଡ, ପିଟଣାକୁ ପୂଜାରେ ବସାଇ ଇଷ୍ଟ ଦେବତା ରୁଦ୍ରପାଳ ଓ ରତ୍ନେଶ୍ଵରୀଙ୍କୁ ପୂଜା କରୁଛନ୍ତି । ଏଥିପାଇଁ ପୁରୀରେ ୧୦ରୁ ଉର୍ଦ୍ଧ୍ଵ ପୂଜା ମଣ୍ଡପ ସ୍ଥାପନା କରାଯାଇଛି । ସେଠାରେ ହୋମ, ଯଜ୍ଞ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । କୁମ୍ଭାର ଶାଳରେ କୁମ୍ଭ ଗଢା ଚକ ପୂଜା କରାଯାଉଛି । ଠାକୁରଙ୍କ ପାଖରେ ପାଂଚ ଦିନରେ ପାଂଚ ପ୍ରକାର ଶଙ୍ଖୁଡ଼ି ଭୋଗ କରାଯିବ । ଏହି ସମୟରେ କୁମ୍ଭକାରମାନେ କଂଚା ହାଣ୍ଡି ଓ ଗଜା ମାଟିକୁ ସ୍ପର୍ଶ କରିବେ ନାହିଁ । କୁମ୍ଭକାରମାନେ ହବିଷ୍ୟାନ୍ନ ପାଳନ କରିବା ସହ ଶ୍ରୀମନ୍ଦିରକୁ କୁଡ଼ୁଆ ଯୋଗାଣ ବନ୍ଦ ରଖିଛନ୍ତି ।
ଶଙ୍ଖୁଡ଼ି ଭୋଗ ମଧ୍ୟରେ ପଚଂମୀରେ ସାଧା ଅନ୍ନ, ଷଷ୍ଠୀରେ ପିଠାପଣା, ସପ୍ତମୀରେ ଦହି ପଖାଳ, ଅଷ୍ଟମୀରେ ଖେଚୁଡ଼ି ଓ ନବମୀରେ ଚକୁଳି ପିଠା ଇଷ୍ଟ ଦେବୀଙ୍କୁ ପୂଜା କରିଥାନ୍ତି । ପୂଜା ଶେଷରେ ଜ୍ୟୋତିଷଙ୍କ ଦ୍ଵାରା ହାଣ୍ଡିଗଢା ଶୁଭ ଅନୁକୂଳ ସମୟ ନିର୍ଦ୍ଧାରଣ କରାଯାଇ ସେହି ଦିନଠାରୁ ହାଣ୍ଡିଗଢା କାର୍ଯ୍ୟ ଆରମ୍ଭ ହେବ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
