୭୨ଟି ଅନ୍ତଃ ନଦୀ ଜଳାଶୟ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ
ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ୱପୁର୍ଣ – ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡାରେ ଆର୍ସେଲର୍ ମିତଲ୍ ନିପନ୍ ଷ୍ଟିଲ ପ୍ଲାଂଟର ଖୁବ୍ ଶୀଘ୍ର ଶୁଭ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ଜାନୁଆରୀ (ହି.ସ.) – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ (ଇନଷ୍ଟ୍ରିମ୍ ଷ୍ଟୋରେଜ୍) ପାଇଁ ଭିତି ସ୍ଥାପନ କରିଛନ୍ତି । ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡାରେ ୧୫ ହଜାର ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ ମହିଳା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ । ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ସୁବିଧା ହେବ । ଏହା ସହିତ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ । ଏହି ପ୍ରକଳ୍ପ ସବୁ ଭୂତଳ ଜଳ ସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ । ଆମର ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହି ପ୍ରକଳ୍ପଗୁଡିକ ସହାୟକ ହେବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ରେ ଅନ୍ତଃ ନଦୀ ଜଳାଶୟ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଆଜି ୧୩ଟି ଜିଲ୍ଲା- ବରଗଡ, ବଲାଙ୍ଗିର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ୧୯ଟି ପ୍ରକଳ୍ପର ଭିତି ପ୍ରସ୍ତର ରଖାଗଲା । ସେ କହିଲେ ତାଙ୍କ ନିର୍ଦ୍ଦେଶରେ ୫ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସମୟରେ ଲୋକଙ୍କ ଠାରୁ ଏପରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା । ଲୋକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ବଲାଙ୍ଗୀରରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଚାଷୀମାନଙ୍କର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ସଂକଳ୍ପ ରହିଛି । ଖରାଦିନେ ଯେପରି ପାଣି ପାଇବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଆରମ୍ଭ କରିଛନ୍ତି ।
କେନ୍ଦ୍ରାପଡ଼ା ମହାକାଳପଡାଠାରେ ଉପସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । କେବଳ ଏହି ପ୍ରକଳ୍ପ ନୁହେଁ, କେନ୍ଦ୍ରାପଡାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆର୍ସେଲର୍ ମିତଲ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।
୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ଉନ୍ନତି ପାଇଁ ପ୍ରକଳ୍ପ କରୁଛନ୍ତି । କେନ୍ଦ୍ରାପଡାରେ ଆର୍ସେଲର୍ ମିତଲ ନିପନ୍ ଷ୍ଟିଲ ପ୍ରକଳ୍ପ ପାଇଁ ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଖୁବ୍ ଉଦ୍ୟମ କରିଥିଲେ ବୋଲି ପ୍ରକାଶ କରି ସେ କହିଲେ ଲୋକଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏଥିପାଇଁ ଶୁଭ ଦେବେ । ବଉଦ କଂଟାମାଳ ରେ ଉପସ୍ଥିତ ବିଧାୟକ ମହିଧର ରଣା ମଧ୍ୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ତିନି ଜଣ ଚାଷୀ ସେମାନଙ୍କ ମତାମତ ଦେଇଥିଲେ । ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ । ବିଭାଗୀୟ ଇଆଇସି ଧନ୍ୟବାଦ୍ ଦେଇଥିଲେ । ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
