କେନ୍ଦୁଝର, 7 ଜୁଲାଇ (ହି.ସ.)
ସ୍ଥାନୀୟଟାଉନ୍ ହଲ୍ ଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ଜଳବାୟୁ ସମ୍ପର୍କିତ ସମସ୍ୟା ଓ ସମାଧାନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପରିବାର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଚଳିତ ବର୍ଷର ସମ୍ମାନଜନକ ପରିବେଶ ରତ୍ନ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା l
ମଞ୍ଚାସୀନ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳା କୁ ଉଦ୍ଘାଟନ କରିବା ସହ କହିଥିଲେ କି ଜଳବାୟୁ ସାଂପ୍ରତିକ ସମୟରେ ସାରା ବିଶ୍ଵ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି l ମାନବ ସଭ୍ୟତା ଆଗାମୀ ଦିନରେ ସମ୍ମୁଖୀନ ହେବାକୁ ଥିବା ବିପର୍ଯ୍ୟୟ ପାଇଁ ଏବେଠୁ ସବୁ ସ୍ତରରେ ଉଦ୍ୟମ ଲୋଡା l
ସମାରୋହରେ ଉଦ୍ଘାଟିତ କରିଥିବା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ର ଅଧ୍ୟକ୍ଷ ଡ଼ ବିପିନ ବିହାରୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିଥିଲେ l ତତ୍ ସହିତ ଫାଉଣ୍ଡେସନ କିପରି ତୃଣମୂଳ ସ୍ତରରେ ଜଳବାୟୁ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କରୁଥିବା କାର୍ଯକ୍ରମ ସମ୍ପର୍କରେ ରେ ସୂଚନା ଦେଇଥିଲେ l ଫାଉଣ୍ଡେସନ ର ରାଜ୍ୟ ମୁଖ୍ୟ ରବୀନ୍ଦ୍ରନାଥ ରାଉତରାୟ ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ର ସୂଚନା ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଇଞ୍ଜିନିୟର ଇନ୍ ଚିଫ୍ ତଥା ସ୍ଵତନ୍ତ୍ର ସଚିବ ସରୋଜ କୁମାର ପଟ୍ଟନାୟକ, ଶିକ୍ଷାବିତ୍ ଶମ୍ଭୁନାଥ ଦାସ, ଡ ବିମ୍ବାଧର ବେହେରା , ପରିବେଶବିତ୍ ସୁରେଶ ପଟ୍ଟନାୟକ,ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ, ଇନର୍ ହ୍ୱିଲ କ୍ଲବ ଅଫ କେନ୍ଦୁଝର ସଭାପତି ସୋନାଲି ସିଂହ, ଇଣ୍ଡିଆନ ଅଏଲ କର୍ପୋରେସନର ବଶିଷ୍ଠ ଅଧିକାରୀ ଚିମନ୍ ଗୋୟାଲ ପ୍ରମୂଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l
ଏହି ଅବସରରେ କାର୍ଯ୍ୟକ୍ରମ ସମ୍ପର୍କିତ ସ୍ମରଣିକା ‘ଇକୋ କନେକ୍ଟ -୨୦୨୫’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପରିବେଶ ସଚେତନା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି l
ଶେଷରେ ସମ୍ପାଦିକା ଡ଼ ସୁକାନ୍ତି ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA
