ଚମ୍ପୁଆ, ୨ ଜାନୁଆରୀ (ହି.ସ) – ସୂଚନା ଫଳକରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଗାଁ ରେ ଘରେ ଘରେ ଲାଗିଛି ଷ୍ଟାଣ୍ଡ ପୋଷ୍ଟ । କିନ୍ତୁ ବ୍ୟବହାର ନ ହେବା ଯୋଗୁଁ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗି ରୁଜି ଯାଇଥିବାବେଳେ ପାଇପ ଗୁଡିକ ନଷ୍ଟ ହୋଇ ସରିଲାଣି । ଅନ୍ୟ ପଟେ ବସୁଧା ଯୋଜନାରେ ପାଇପ ପାଣି ନ ପହଂଚିଲେ ସୂଚନା ଦେବାକୁ ସୂଚନା ଫଳକ ମରାଯାଇ ଫୋନ ନମ୍ବର ମଧ୍ୟ ଦିଆ ଯାଇଛି । ତେବେ ପାଣି ମିଳିବା ନାଁ ଗନ୍ଧ ନ ଥିବାବେଳେ ପାଖାପାଖି ଏକ ଶହ ପରିବାର ପାଇଁ ମାତ୍ର ଦୁଇଟି ନଳକୂପ ସାହା ଭରସା । ଚମ୍ପୁଆ ବ୍ଲକ ଜାମୁଦଲକ ପଂଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ପାଇପ ପାଣି ଯୋଗାଣର ଏହି ବିକଳ ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏହାକୁ ନେଇ ତେଜୁଛି ଅସନ୍ତୋଷ । ତେବେ ଆଗକୁ ଗ୍ରୀଷ୍ମ ଋତୁରେ ପାଣି ସଙ୍କଟରୁ ବର୍ତିବା ପାଇଁ ଗ୍ରାମବାସୀ ଏକ ପରିତ୍ୟକ୍ତ କୂଅ କୁ ନିଜେ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ କି, ଚମ୍ପୁଆ ବ୍ଲକରେ ପାଇପ ପାଣି ଯୋଗାଣ ପାଇଁ ଗତ ଦେଢ଼ ବର୍ଷ ହେବ ପ୍ରତି ଗ୍ରାମକୁ ପାଇପ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସାରିଥିବା ବେଳେ ପ୍ରକୃତ ପକ୍ଷେ ପାଇପ ପାଣି ଯୋଗାଣ କାଗଜ କଲମରେ ସୀମିତ ରହିଛି ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ/ସମନ୍ୱୟ
