ବ୍ରହ୍ମପୁର, ୨୧ ଡିସେମ୍ବର (ହି.ସ.)- ଓଡ଼ିଆ ଭାଷା ସାହିତ୍ୟର ସେବା ବିଶେଷ କରି ଗବେଷଣା ପାଇଁ ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବ କାଳ ସାଧନାରତ ରହି ବିରଳ ପୋଥି ସଂଗ୍ରହ କରିଥିଲେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ। ତାଙ୍କ ଗବେଷଣା ଲବ୍ଧ ଗ୍ରନ୍ଥ ଗୁଡିକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି ବୋଲି ଫଲଗୁ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ସ୍ଥାନୀୟ କେ ସି ପାବ୍ଳିକ ବିଦ୍ୟାଳୟ ମର୍ଦ୍ଦରାଜ ଆଲୋଚନା କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଜଗତର ବିଶିଷ୍ଟ ବିଦ୍ବାନ, ବିଜ୍ଞ ଗବେଷକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ତଥା ଅତିବଡ଼ି ଜଗନ୍ନାଥ ଦାସ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଫେସର ଡଃ. ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସମାରୋହ ପୁରାତନ ସାରସ୍ଵତ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମହାବିଦ୍ୟାଳୟ ସମୁହ ପ୍ରାକ୍ତନ ଅଧ୍ୟକ୍ଷ ଓ ରାଜନୀତି ବିଜ୍ଞାନ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ନାଟ୍ୟକାର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ରମାରମଣ ପାଢୀ, ଉପଦେଷ୍ଟା ପ୍ରଫେସର ବ୍ରଜ ମୋହନ ଶାସମଲ, ସାଧାରଣ ସମ୍ପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏବଂ ଆଲୋଚକ ଭାବରେ ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଯେନା ପ୍ରମୁଖ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଥିଲେ।
ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ର ଓ ପ୍ରଫେସର ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ପଣ୍ଡିତ ଚନ୍ଦ୍ରଶେଖର ମହାପାତ୍ର ଓ ହୃଷିକେଶ ଦାଶ ଭାଗବତ ପାଠ କରିଥିଲେ।ସାଧାରଣ ସମ୍ପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ସମ୍ପାଦକୀୟ ପାଠକରି ପ୍ରଫେସର ଆଚାର୍ଯ୍ୟଙ୍କ ସଂକ୍ଷିପ୍ତ ଜୀବନୀ ଓ କୃତ୍ତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଫେସର ଆଚାର୍ଯ୍ୟ ଅଧ୍ୟାପକ ଭାବରେ ନିଯୁକ୍ତି ପାଇବା ପରଠାରୁ ଅବସରପ୍ରାପ୍ତ ହେଲା ଯାଏଁ ଓଡ଼ିଆ ସାହିତ୍ୟ ତଥା ସଂସ୍କୃତ ଭାଷାର ବହୁ ବିରଳ ତାଳ ପୋଥି ସଂଗ୍ରହ କରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଳୟରେ ରଖିଦେଇ ଯାଇଛନ୍ତି ପରବର୍ତ୍ତୀ ଗବେଷକ ମାନଙ୍କ ପାଇଁ, ଯାହାକି ଏକ କୃତିତ୍ଵ ବୋଲି ସଭାପତି ପ୍ରଫେସର ଚୌଧୁରୀ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ କବି ଭିକାରି ଚରଣ ମହାପାତ୍ରଙ୍କ କବିତା ସଙ୍କଳନ କବିତା ଏକ ତୀର୍ଥଯାତ୍ରୀ ର ଲୋକାର୍ପଣ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭିକାରି ଚରଣ ମହାପାତ୍ର, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବଂଶୀଧର ସେଠୀ ଓ ପ୍ରଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଡଃ. ସୂଚନା ପାଢୀ ପ୍ରମୁଖ ପ୍ରଫେସର ଆଚାର୍ଯ୍ୟଙ୍କ ସ୍ମୃତି ଚାରଣ କରିଥିଲେ। ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ସୁଦାମ ପାଣିଗ୍ରାହୀ, ପ୍ରମୋଦ କୁମାର ପଣ୍ଡା, ଡଃ. ବନମାଳି ପାଣିଗ୍ରାହୀ, ଶ୍ରୀମତୀ ଅମିତା ମିଶ୍ରଙ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରଫେସର ଆଚାର୍ଯ୍ୟଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
