ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) – ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଛି ବିଜେପି । ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ସୋସିଆଲ ସାଇଟ୍ ଏକ୍ସରେ ଲେଖିଛନ୍ତି ଆଂଚଳିକ ବାଦ, ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଏହି ଦଳ ଆଜି ଜଣେ ଅଣ ଓଡ଼ିଆଙ୍କ ରିମୋଟ କେଂଟ୍ରାଲରେ ଚାଲୁଛି । ଏହା କେଉଁ ରୂପାନ୍ତରିକରଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ୱାଳ ।
ସେ ଲେଖିଛନ୍ତି ସେହି ଅଣ ଓଡ଼ିଆ ଅଫିସରରୁ ନେତା ପାଲଟିଥିବା ବାବୁଜଣଙ୍କର ସଭାକୁ ବିଜେଡିର ଓଡ଼ିଆ ନେତାମାନେ, ଲୋକପ୍ରତିନିଧିମାନେ ଲୋକ ବୁହାଉଛନ୍ତି, ଟେଂଟ ବାନ୍ଧୁଛନ୍ତି, ସଭାତଳେ ବସି ତାଳି ମାରୁଛନ୍ତି । ଏହା ବିଜୁ ବାବୁଙ୍କର କେଉଁ ସ୍ୱାଭିମାନର ପ୍ରତୀକ?ଆଜି ବିଜୁ ଜନତା ଦଳର କେଉଁ ଜଣେ ବି ନେତା ଛାତିରେ ହାତ ରଖିକି କହିପାରିବେ କି ଯେ ସେ ଯେବେ ଚାହିଁବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ, ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରସଙ୍ଗରେ ମତାମତ ଦେଇପାରିବେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ ବୋଲି? ଓଡିଶାଲୋକଙ୍କୁ ଅନ୍ଧ କହୁଥିବା ବିଜେଡିର ନେତାମାନେ ଥରେ ଭାବନ୍ତୁ ଅନ୍ଧ କିଏ?ଏହି ୨୩ ବର୍ଷର ବିଜୁ ଜନତା ଦଳର ଶାସନରେ ବିଜେଡି ଧନୀ ହୋଇଛି, ବିଜେଡିର ନେତାମାନେ ଧନୀ ହୋଇଛନ୍ତି । କିନ୍ତୁ ଓଡିଆ ଲୋକେ ଗରିବ ହୋଇଛନ୍ତି । ବିକାଶର ସବୁ ମାପଦଣ୍ଡରେ ଓଡିଶା ଆଜି ଦେଶରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସବା ତଳେ । ଚାଷୀଙ୍କ ରୋଜଗାର, ଶିଳ୍ପାୟନ, ନିଯୁକ୍ତି, ପର୍ଯ୍ୟଟନ, ଭିତିଭୂମି, ସ୍କୁଲ ଶିକ୍ଷାର ମାନଙ୍କ, ଉଚ୍ଚ ଶିକ୍ଷାର ମାନଙ୍କ, ଶିଶୁ ଓ ମା ମାନଙ୍କର ସ୍ୱାସ୍ଥ୍ୟର ସ୍ଥିତି ସବୁଥିରେ ଆଜି ଓଡିଶା ଦେଶରେ ସବୁରାଜ୍ୟ ଠାରୁ ପଛରେ । ଦେଶର ବିକାଶର ମାପକାଠିରେ ଓଡିଶାର ସ୍ଥାନ କେଉଁଠି ସେ ଉପରେ ସାଧୁତାର ସହ ନଜର ପକାଇବେ ବୋଲି ଆଶା କରୁଛି ।
ସେ ଆହୁରି କହିଛନ୍ତି ଶ୍ରୀମନ୍ଦିରରେ ଗୋମାଂସ ଖାଇ ଜଣେ ବ୍ଲଗରଙ୍କ ପ୍ରବେଶ ପ୍ରସଙ୍ଗରେ ସେହି ମହିଳାଙ୍କର ଏକ ମିଛ ସ୍ପଷ୍ଟୀକରଣ ଭିଡିଓକୁ ବିଜେଡିର ସବୁ ନେତାମାନେ ନିଜ ସୋସିଆଲ ମେଡ଼ିଆରେ ପ୍ରଚାର କରାଇଲେ । ଏହା ଆଉ ବୁଝିବା ପାଇଁ ବାକି ନାହିଁ ଯେ ବିଜେଡି ପାଇଁ କିଏ ବଡ଼? ମହାପ୍ରଭୁ ଜଗନ୍ନାଥ ନା ଭିକେ ପାଣ୍ଡିଆନ? ଗୋମାଂସ ଭକ୍ଷଣକାରୀ ନା କୋଟି କୋଟି ଜଗନ୍ନାଥ ଭକ୍ତ? ଆଜି ପ୍ରତିଷ୍ଠା ଦିବସରେ ସାଧାରଣ ଲୋକେ ଏହା ଭାବିବା ପାଇଁ ବାଧ୍ୟ ହେବେ କି ଯେ ଏହା ଭିତରେ ଦଳ ବିଫ ଜନତା ଦଳ ହୋଇସାରିଛି କି? ବୋଲି ସେ କଟାକ୍ଷ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
