ପୁରୀ, ୨ ମଇ – ସାଧାରଣ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଚତୁର୍ଥ ଦିନରେ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଲୋକସଭା ପ୍ରାର୍ଥୀ ଭାବେ ବିଜେଡିର ଅରୂପ ପଟ୍ଟନାୟକ, ସତ୍ଯବାଦୀରୁ ବିଧାୟକ ପ୍ରାର୍ଥୀ ଭାବେ ଅଶୋକ ପ୍ରଧାନ ଓ ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଜୟନ୍ତ କୁମାର ଷଡଙ୍ଗୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ପିପିଲିରୁ ଶୋଭାଯାତ୍ରା ଆରମ୍ଭ କରି ବଡଦାଣ୍ଡ ସ୍ଥିତ ବଗଲା ଧର୍ମଶାଳା ନିକଟରେ ପହଞ୍ଚିଥିଲେ । ସେଠାରୁ ଦଳୀୟ କର୍ମୀଙ୍କ ସହ ବିରାଟ ପଟୁଆରରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ । ଅପରାହ୍ନ ୧ଟା ୩୦ ମିନିଟରେ ନାମାଙ୍କନପତ୍ର ପତ୍ର ଦାଖଲ କରିଥିଲେ ।
ଉପଜିଲ୍ଲାପାଳ ତଥା ରିଟର୍ଣିଙ୍ଗ ଅଧିକାରୀ ଗୋପୀନାଥ କୁଅଁରଙ୍କ ନିକଟରେ ବିଧାୟକ ପ୍ରାର୍ଥୀ ଭାବେ ଜୟନ୍ତ କୁମାର ଷଡଙ୍ଗୀ ନାମାଙ୍କନପତ୍ର ପତ୍ର ଦାଖଲ କରିଥିଲେ । ଏହା ପୂର୍ବରୁ ଜୟନ୍ତ ଏକ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଦୋଳମଣ୍ଡପ ସାହି ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ ।
ସେହିପରି ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବାମପନ୍ଥୀ ପ୍ରାର୍ଥୀ ଭାବେ ଅଶୋକ କୁମାର ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ତଥା ସତ୍ଯବାଦୀ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା।
