ଭୁବନେଶ୍ୱର, ୫ ଫେବୃଆରୀ -ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଂଚଳକୁ ପୁଲିସ ଛାଉଣି କରାଯିବ । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ । ପୂରା ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ଏସ୍ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍ ସ୍କ୍ୱାଡ୍, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯାଇଛି । ଆନ୍ଦୋଳନକାରୀଙ୍କଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ । ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍, ରବୀନ୍ଦ୍ର ମଣ୍ଡପ ଗେଟ୍, ଲୋୟର ପିଏମ୍ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କେଂଟ୍ରାଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟରଙ୍କ ସହ ୧୦୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ନିୟୋଜିତ ହେବେ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ । ବିଧାନସଭା ଛାତ ଉପରେ ରୁଫ୍ ଟପ୍ ପୁଲିସ ରହିବେ । ପ୍ରବେଶ ପଥରେ ଦୁଇଟି ଚେକ୍ପୋଷ୍ଟ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି ।
