ଚମ୍ପୁଆ, 25 ଫେବୃଆରୀ : ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଏଟିଏମ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ଗତରାତିରେ ଟଙ୍କା ଲୁଟ୍ ଉଦ୍ୟମ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୨.୩୦ ମିନିଟ ସମୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଠାରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଦୁର୍ବୁତ୍ତ ମାନେ ଉଦ୍ୟମ କରିଥିଲେ। ତେବେ ଏଟିଏମ ମେସିନକୁ ଭାଙ୍ଗିବା ସମୟରେ ସାଇରନ ବାଜି ଉଠିବାରୁ ଘର ମାଲିକ ନିଦରୁ ଉଠି ବାହାରକୁ ଚାଲି ଆସି ପାଟିକରିଥିଲେ । ଘର ମାଲିକଙ୍କୁ ଦେଖି ଦୁର୍ବୁତ୍ତ ମାନେ ଏକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଆସିଥିବା ବୋଲେରୋ ଗାଡ଼ିରେ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଏଟିଏମ କାଉଣ୍ଟର ସହ ମେସିନ୍ ଭାଙ୍ଗି ଥିବାର ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି।
