କନ୍ଧମାଳ, ୩୦ ନଭେମ୍ବର (ହି.ସ.) – ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି। ବିଜୁ ଜନତା ଦଳ ଏହି ପଦବୀ ବଜାୟ ରଖିବାରେ ସଫଳ ହୋଇଛି । ସର୍ବଶେଷ ଫଳାଫଳ ଅନୁଯାୟୀ, ବିଜୁ ଜନତା ଦଳର ପ୍ରାର୍ଥିନୀ ଦେବସ୍ମିତା ଶତପଥି ବିଜୟୀ ହୋଇଛନ୍ତି। ଦେବସ୍ମିତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ରଞ୍ଜିତା ନାୟକଙ୍କୁ ୨୩୭୪ ଭୋଟରେ ପରାଜିତ କରିଛନ୍ତି।
ଦେବସ୍ମିତା ୩୧୧୧ ଭୋଟ ପାଇଥିବା ବେଳେ ରଞ୍ଜିତା ୭୩୭ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥିନୀ ମଧୁଲିନା ଦିଗାଲଙ୍କୁ ୬୨୭ ଭୋଟ ମିଳିଛି। ବୁଧବାର ଅନୁଷ୍ଠିତ ମତଦାନରେ ସମୁଦାୟ ୮୧୫୫ ଭୋଟରଙ୍କ ମଧ୍ୟରୁ ୪୫୧୯ ଜଣ ମତଦାନ କରିଥିଲେ। ମତଦାନ ପ୍ରତିଶତ ୫୫.୪୧ ରହିଥିଲା।
ସୂଚନାଯୋଗ୍ୟ, ପୂର୍ବତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ଯୋଗୁଁ ଏହି ପଦବୀ ଖାଲି ପଡିଥିଲା । ତିନି ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ତ୍ରିମୁଖୀ ଲଢେ଼ଇ ହୋଇଥିବା ବେଳେ ବିଜେଡି ସ୍ବର୍ଗତା ଅଧ୍ୟକ୍ଷା ଭାନୁପ୍ରଭାଙ୍କ ଝିଅ ଦେବସ୍ମିତାଙ୍କୁ ପ୍ରାର୍ଥୀ କରିଥିଲା।
ହିନ୍ଦୁସ୍ଥାନ ସମାଚାର /ପ୍ରଶାନ୍ତ /ସ୍ୱାଗତିକା/ସମନ୍ୱୟ
