


ମାଲକାନଗିରି, ୫ ଡିସେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଦେଶ ପତ୍ର କ୍ରମେ ସୁଦୂର ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିବା ଡା. ସନ୍ତୋଷ କୁମାର ଷଡଙ୍ଗୀଙ୍କୁ କୁଡୁମୁଲୁଗୁମ୍ମା ନାଗରିକ ମଞ୍ଚ, ନିର୍ଝରଣୀ ସାହିତ୍ୟ ସଂସଦ, ସମ୍ଵାଦ ସାହିତ୍ୟ ଘର, କୁଡୁମୁଲୁଗୁମ୍ମା ଓ ସାମ୍ବାଦିକ ସଂଘ, କୁଡୁମୁଲୁଗୁମ୍ମା ଏଵଂ ବୁଦ୍ଧିଜୀବୀ ମାନଙ୍କ ତରଫରୁ ଏକ ଭାବପୂର୍ଣ୍ଣ ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା ଗତକାଲି ଅର୍ପଣ କରାଯାଇଛି।
ଡା. ଷଡ଼ଙ୍ଗୀ ଏକା ଧାରରେ ଜଣେ ମାନଵଵାଦୀ ସମାଜସେବୀ, ହୃଦୟବାନ ମଣିଷ, ସୁସାହିତ୍ୟକ ଏଵଂ କୁଡୁମୁଲୁଗୁମ୍ମାର ବୁଦ୍ଧିଜିବୀ ଭାବରେ ଜଣାଶୁଣା। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି, କାୟାକଳ୍ପ କାର୍ଯ୍ୟକ୍ରମ, ଦମନ ଅଭିଯାନ ସହ ଏ ଅଞ୍ଚଳର ସ୍ଵାସ୍ଥ୍ୟ, ଶିକ୍ଷା, ସାହିତ୍ୟ, ଧର୍ମ, ସଂସ୍କୃତି, ପରମ୍ପରା ଉନ୍ନତିରେ ପ୍ରଗାଢ ଅବଦାନ ରହିଛି। ତାଙ୍କର କାର୍ଯ୍ୟଧାରା”ରେ ଉଦ୍ ବୃଦ୍ଧ ହୋଇ ସ୍ଵାଭିମାନ ଅଞ୍ଚଳରେ ଦମନ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଥିଲା। ତାଙ୍କର ଵଦଳି ହୋଇଥିବା ଶୁଣି ସମସ୍ତ ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟକ ଲେଖକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଦୁଃଖରେ ଭାଙ୍ଗିପଡିଛନ୍ତି। ଜଣେ ଉଦାର ହୃଦୟର ଡାକ୍ତର, ପରୋପକାରୀ, ଦକ୍ଷ ଡାକ୍ତର ଭାବରେ ଶ୍ରୀ ଷଡ଼ଙ୍ଗୀ କୁଡୁମୁଲୁଗୁମ୍ମାର ସମସ୍ତ ଉନ୍ନତିରେ ସହଯୋଗ କରିଛନ୍ତି। ତାଙ୍କ ନିମନ୍ତେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ଡା. ସନ୍ତୋଷ କୁମାର ଷଡଙ୍ଗୀ, ତାଙ୍କର ପିତା ଦିଗାମ୍ବର ଷଡ଼ଙ୍ଗୀ, ମାତା ଜ୍ୟୋସ୍ନାରାଣୀ ଷଡ଼ଙ୍ଗୀ, ନୂତନ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ମହେଶ ପତ୍ତି, ଗ୍ରାମର ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପ୍ରଧାନ, ସାମାଜିକ କର୍ମୀ ତଥା ନିର୍ଝରଣୀ ସାହିତ୍ୟ ସଂସଦର ଆବାହକ ଭଗଵାନ ସାହୁ, ସମ୍ଵାଦ ସାହିତ୍ୟ ଘର କୁଡୁମୁଲୁଗୁମ୍ମାର ଆବାହକ ଜୌତିରଞନ ବେହେରା, ପ୍ରଭାକର ସୁନା, ଅଜୟ କୁମାର ପଟ୍ଟନାୟକ, ସ୍ଵାସ୍ଥ୍ୟ କର୍ମଚାରୀ ସଞ୍ଜୟ କୁମାର ପୃଷ୍ଟି, ପ୍ରଦୀପ୍ତ କୁମାର ଗୌଡ଼, ପଦ୍ମ ଚରଣ ପଣ୍ଡା ପ୍ରମୁଖ ଯୋଗଦାନ କରି ଡାକ୍ତର ଷଡଙ୍ଗୀଙ୍କ କୁଡୁମୁଲୁଗୁମ୍ମା ମାଟି ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ କୁଡୁମୁଲୁଗୁମ୍ମା ନାଗରିକ ମଞ୍ଚ ତରଫରୁ ଡା. ଷଡ଼ଙ୍ଗୀଙ୍କୁ ଉପଢୌକନ ପୁଷ୍ପଗୁଛ୍ଛ ଓ ଜଗନ୍ନାଥଙ୍କ ତୈଳ ଚିତ୍ର ଅର୍ପଣ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କୁଡୁମୁଲୁଗୁମ୍ମା ଗାଁର ସମସ୍ତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ, ସହଯୋଗ ଓ ଆଶିର୍ବାଦକୁ ଜୀଵନଵ୍ୟାପି ମନେ ପକାଇଵେ ବୋଲି ଡା. ଷଡ଼ଙ୍ଗୀ ପ୍ରକାଶ କରିବା ସହ ଏ ସମ୍ପର୍କ ଯୁଗ ଯୁଗ ଧରି ରହିବ ଵୋଲି ଡାକ୍ତରଙ୍କ ପରିବାରଜନ ପ୍ରକାଶ କରିଥଲେ। ଜଣେ ଦରଦୀ ମନୋଭାବର ଭଲ ମଣିଷ ଡା. ଷଡ଼ଙ୍ଗୀଙ୍କ ବିଦାୟ ସମୟରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମାର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ
