
ଭୁବନେଶ୍ୱର, 13 ଜାନୁଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ନିରନ୍ତର ଶାସନ ପରେ ଏବେ ଓଡିଶାକୁ ପ୍ରଭୂ ଜଗନ୍ନାଥ ଛୋଟିଆ ପିକ୍ ଅପ୍ ଭ୍ୟାନ୍ ରେ ବୁଲୁଥିବାର ଏବଂ ଟ୍ରଲିରେ ଚାଉଳ ସଂଗ୍ରହ କରିବା ଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ପଡୁଛି । ଏହା ଜଗନ୍ନାଥଙ୍କ କେଉଁ ପ୍ରକାର ନୀତି? ଏହା ଓଡିଶା ସଂସ୍କୃତି ନା କେଉଁ ବାହାର ରାଜ୍ୟରୁ ଅଣାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ସୋସିଆଲ ସାଇଟ୍ ଏକ୍ସ ରେ ଏପରି ବିଷୋଦଗାର କରିଛନ୍ତି ଅପରାଜିତା । ଏହାସହ ସେ ଲେଖିଛନ୍ତି ବଡ ଠାକୁରଙ୍କ ପରମ୍ପରା କୁହେ ଭକ୍ତ ଦର୍ଶନ ପରେ ମହାପ୍ରସାଦ ଖାଇପାରିବେ । ଓଡିଶା ସଂସ୍କୃତି ପ୍ରଭୂ ଜଗନ୍ନାଥ ଭ୍ୟାନ୍ ରେ ବୁଲିବା ଓ ଟ୍ରଲିରେ ଚାଉଳ ମାଗିବାକୁ କଳ୍ପନା ମଧ୍ୟ କରେ ନାହିଁ । ଏହା ହେଉଛି ମୂର୍ଖତାର ଚରମ ଅଭିବ୍ୟକ୍ତି । ଏହା ସମସ୍ତଙ୍କୁ କଷ୍ଟ ଦେଇଛି । ଏସବୁ ପାଇଁ କିଏ ପରାମର୍ଶ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ଷଡଙ୍ଗୀ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
