ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.) ବୁଧବାର ସକାଳୁ ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୀତାରମଣ ଶ୍ରୀଲଙ୍କାର କଲମ୍ବୋ ଏୟାରପୋର୍ଟରେ ପହଞ୍ଚିବା ପରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଗୋପାଳ ବାଗଲେ ତାଙ୍କର ସ୍ୱାଗତ କରିଥିଲେ ।
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କୁହାଯାଇଛି ଯେ, ଅର୍ଥମନ୍ତ୍ରୀ ସୀତାରମଣ ଆଜି ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । କଲମ୍ବୋରେ ଥିବା କଟୁନାୟକେ ଏୟାରପୋର୍ଟରେ ଶ୍ରୀଲଙ୍କାର ଜଳସମ୍ପଦ ମନ୍ତ୍ରୀ ଜୀବନ ଥୋନ୍ଡାମନ ତାଙ୍କର ସ୍ୱାଗତ କରିଥିଲେ ।
ମନ୍ତ୍ରାଳୟର ସୂଚନା ମୁତାବକ, ସୀତାରମଣ ଏହି ଯାତ୍ରାରେ ଶ୍ରୀଲଙ୍କାରେ ଭାରତୀୟ ବଂଶୋଦ୍ଭବ ତାମିଲଙ୍କ ଆଗମନର 2ଶହ ପୂରଣ ହେବା ଅବସରରେ ଶ୍ରୀଲଙ୍କା ସରକାର ପକ୍ଷରୁ ଆୟୋଜିତ ‘ନାମ ଟୁ ହଣ୍ଡ୍ରେଡ’ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେ ଓ ପ୍ରଧାନମନ୍ତ୍ରୀ ଦିନେଶ ଗୁଣାବର୍ଦ୍ଧନେ ଯୋଗଦେବେ । ଅର୍ଥମନ୍ତ୍ରୀଙ୍କ ଏହି ଗସ୍ତରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ରାଜନୈତିକ ବିଚାର ବିମର୍ଷ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
