ମୁମ୍ବାଇ, ୨୫ ଫେବୃଆରୀ :- ଗୋରେଗାଁଓରେ ଫିଲ୍ମ ସିଟି ନିକଟରେ ଏକ ନିର୍ମାଣାଧିନ କୋଠାର କାନ୍ଥ ଭୁଶୁଡ଼ିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ତୁରନ୍ତ ଯୋଗେଶ୍ଵରୀ ସ୍ଥିତ ଟ୍ରମା ସେଂଟର ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗୋରେଗାଁଓ ଆରେ କଲୋନୀ ରୋଡ଼ର ଫିଲ୍ମ ସିଟି ଗେଟ୍ ନମ୍ବର ୨ ନିକଟରେ ଏକ କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଶନିବାର ଦିନ ତିଆରି ହୋଇଥିବା ୬୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ କାନ୍ଥ ରାତିରେ ହଠାତ୍ ଭୁଶୁଡ଼ି ପଡିଥିଲା । ୩ ଜଣ ଲୋକ ଏହା ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଶନିବାର ମଧ୍ୟ ରାତ୍ରରେ ଯୋଗେଶ୍ଵରୀ ସ୍ଥିତ ଟ୍ରମା ସେଂଟର ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ, ସିଂଟୁ ମଣ୍ଡଳ (୩୨) ଓ ଜୟଦେବ ପ୍ରହ୍ଲାଦ ବିଶ୍ଵାସ (୪୫)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଏହି ସିମେଂଟ କାନ୍ଥର ଅବଶେଷକୁ ସେଠାରୁ ହଟାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
