ନୂଆଦିଲ୍ଲୀ, 01 ଡିସେମ୍ବର (ହି.ସ.) ସଂସଦର ଶୀତକାଳୀନ ଅଧିବେଶନ ଆଜି ସୋମବାର ଠାରୁ ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ 15ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ ବିଲ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।
ଉଲ୍ଲେଖନୀୟ ଯେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୁର୍ବରୁ ରବିବାର ହୋଇଥିବା ସର୍ବଦଳୀୟ ବୈଠକ ସୌହାର୍ଦ୍ଦପୂର୍ଣ ଭାବେ ସମ୍ପନ୍ନ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ୍ ରିଜିଜୁ ବୈଠକ ପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଥିଲେ ଯେ ଯେ ସଂସଦୀୟ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳିତ କରିବାକୁ ବିରୋଧୀ ଦଳ ମାନଙ୍କ ସହଯୋଗ ମିଳିବ ବୋଲି ସରକାର ଆଶା କରୁଛନ୍ତି ।
ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା ରକ୍ଷାମନ୍ତ୍ରୀ ରାଜନାଥ ସିଂହ କରିଥିଲେ। ସଂସଦୀୟ ସୌଧରେ ଆୟୋଜିତ ଏହି ବୈଠକରେ ରାଜ୍ୟସଭାରେ ନେତା ଜେ. ପି. ନଡା, ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ୍ ରିଜିଜୁ ଓ ତାଙ୍କ ସହଯୋଗୀ ଅର୍ଜୁନ ରାମ ମେଘୱାଳ, କଂଗ୍ରେସର ଲୋକସଭା ଉପନେତା ଗୌରବ ଗୋଗୋଇ ସହ ବିଭିନ୍ନ ଦଳର ଫ୍ଲୋର୍ ନେତା ମାନେ ଯୋଗ ଦେଇଥିଲେ। ବୈଠକରେ 36ଟି ରାଜନୈତିକ ଦଳର 50 ନେତା ଉପସ୍ଥିତ ଥିଲେ। ବିରୋଧୀ ଦଳର ନେତାମାନେ ଏସଆଇଆର ଅଭିଯାନକୁ ନେଇ ଅଭିମତ ଦେଇଥିଲେ। ଏଥିସହ ନିରାପତ୍ତା, ଗଣତନ୍ତ୍ର ଓ ଆଂଚଳିକ ବିଷୟରେ ମଧ୍ୟ ମତ ରଖିଥିଲେ।
ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ୍ ରିଜିଜୁ ସଂସଦ ପରିସରରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସର୍ବଦଳୀୟ ବୈଠକ ଅତ୍ୟନ୍ତ ଉପଯୋଗୀ ଏବଂ ସୌହାର୍ଦ୍ଦପୂର୍ଣ ଥିଲା। ସେ କହିଲେ ଯେ ବିରୋଧୀ ଦଳ ଗୁଡିକ ପକ୍ଷରୁ ଅନେକ ବିଷୟ ଉଠାଯାଇଥିଲା ଏବଂ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ପରେ, ଆଜି ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟମନ୍ତ୍ରଣା ସମିତି ବୈଠକରେ ଏହାକୁ ରଖାଯିବ। ସରକାର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ବିରୋଧୀ ଦଳ ମାନଙ୍କ ଦ୍ୱାରା ଉଠାଯାଉଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ। ଆମେ ଆଶା କରୁଛୁ ଯେ ସଂସଦକୁ ସୁଚାଳିତ ଭାବେ ଚଳାଇବାରେ ବିରୋଧୀ ଦଳ ମାନେ ଯଥୋଚିତ ସହଯୋଗ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
