ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)
– ମନ୍ କୀ ବାତ୍
କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା କରିଥିବାରୁ ପିଏମ ମୋଦିଙ୍କୁ
ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “କୋରାପୁଟ
କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦି ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା
କରିଥିବାରୁ ଧନ୍ୟବାଦ । କୋରାପୁଟ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ
ଦେଇଛି । ଆମ ଚାଷୀମାନଙ୍କ ପାଇଁ ଏହି ସ୍ୱୀକୃତି ଅତ୍ୟନ୍ତ ପ୍ରେରଣାଦାୟୀ । ସ୍ଥାନୀୟ ଉତ୍ପାଦ
ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର
ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ ।
ଏହି ଅବସରରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କିଛି ମାସ ପୂର୍ବେ କୋରାପୁଟ ଗସ୍ତ ସମୟରେ ମୁଁ କଫି ଗାର୍ଡେନ୍
ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଥିଲି ।
ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ
ହୋଇଛି । ବିଶ୍ୱରେ ‘ବ୍ରାଣ୍ଡ୍ କୋରାପୁଟ୍’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର
ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
