ଚଣ୍ଡୀଗଡ଼, ୨୮ ଅକ୍ଟୋବର (ହି.ସ.)- ପଞ୍ଜାବ ପୋଲିସ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଂଟରନେଶନାଲର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ ଶନିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ମୋହାଲି ଜିଲ୍ଲା ପୋଲିସ ଦ୍ଵାରା ଗିରଫ ହୋଇଥିବା ଏହି ଆତଙ୍କବାଦୀ ମାନେ ପର୍ବ ସମୟରେ ଟାର୍ଗେଟ୍ କିଲିଂ କରି ପଞ୍ଜାବର ମାହୋଲ୍ ଖରାପ କରିବା ଲକ୍ଷ୍ୟରେ ଥିଲେ ।
ଏନେଇ ଅଧିକ ସୂଚନା ଦେଇ ଡିଜିପି ଶ୍ରୀ ଯାଦବ କହିଛନ୍ତି ଯେ, ମୋହାଲି ପୋଲିସର ସିଆଇଏ ୱିଙ୍ଗ ଏହି ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି । ଏହି ସଂଗଠନର ସଦସ୍ୟ ମାନଙ୍କର ସମ୍ପର୍କ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ହରବିନ୍ଦର ସିଂହ ରିନ୍ଦା ସହିତ ଥିଲା । ରିନ୍ଦାର ଆତଙ୍କବାଦୀ ସଂଗଠନ ବି.କେ.ଆଇ. ସହିତ ମିଶି ଏମାନେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ତସ୍କରୀ କରୁଥିଲେ । ଗିରଫ ଅଭିଯୁକ୍ତ ମାନେ ଡ୍ରୋନ୍ ସହାୟତାରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ମଗାଇ ପଞ୍ଜାବରେ ଯୋଗାଉଥିଲେ । ସେମାନଙ୍କ ନିକଟରୁ ୬ଟି ବିଦେଶୀ ପିସ୍ତଲ, ୨୭୫ ଜୀବନ୍ତ କାରତୁସ୍ ମଧ୍ୟ ଜବତ ହୋଇଛି । ପୋଲିସ ପକ୍ଷରୁ ଏ ସମ୍ପର୍କରେ ସେମାନଙ୍କୁ ଅଧିକ ପଚରା ଉଚୁରା ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
