ବଲାଙ୍ଗିର, ୧୮ ଅକ୍ଟୋବର – ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ କାଳୀଡୁଙ୍ଗୁରି ଜଙ୍ଗଲରେ ଜଣେ ଶିକାରୀ ବାରାହା ଫାଶରେ ପଡି ମୃତ୍ୟୁବରଣ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ପରିବାର ଲୋକେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିବା ବେଳେ ଘଟଣାସ୍ଥଳରୁ ଶବ ଗାଏବ ହୋଇଛି ବୋଲି ମୃତ ଶିକାରୀଙ୍କ ଶଳା ପୋଲିସ ଆଗରେ କହିଥିବା ବେଳେ ତାଙ୍କ ସ୍ତ୍ରୀ ମୋ’ ସ୍ଵାମୀ ଜଙ୍ଗଲ ଯାଇ ଫେରି ନାହାନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସଇଁତଲା ପୋଲିସ ଓ ବନ ବିଭାଗ ଜଙ୍ଗଲରେ ଖୋଜା ଖୋଜି କରିଥିଲେ ମଧ୍ୟ ଶବର କୋଣସି ସନ୍ଧାନ ମିଳିନାହିଁ । ମୃତ ଶିକାରୀଙ୍କ ନାମ ଜବଦୁ ବଗର୍ତ୍ତୀ (୪୩)। ସେ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡାର ବୋଲି ଜଣାପଡିଛି ।
ପ୍ରକାଶ ଯେ, ଗତ ସୋମବାର ଅପରାହ୍ନ ୪ଟା ସମୟରେ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ଜଙ୍ଗଲ କାଳୀକ୍ଷେତ ସ୍ଥିତ କାଳୀଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲକୁ ବାରାହା ଶିକାର କରିବା ପାଇଁ ଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ସମୟରେ ପୂର୍ବରୁ ଅନ୍ୟ ଜଣେ ଶିକାରୀ ବାରାହା ଶିକାର ପାଇଁ ଫାଶ ଲଗାଇଥିଲେ । ଏହି ସମୟରେ ଜବଦୁ ବାରାହା ଫାଶରେ ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବ ବୋଲି ଚର୍ଚ୍ଚା ହେଉଛି । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ପରଦିନ ଅର୍ଥାତ ଆଜି ସକାଳୁ ଶବ ପଡ଼ିଥିବା ଘଟଣାସ୍ଥଳକୁ ପହଂଚିଥିଲେ । କିନ୍ତୁ, ଘଟଣାସ୍ଥଳରୁ ଶବ ଗାଏବ ହୋଇଯାଇଛି ବୋଲି ଜବଦୁଙ୍କ ଶଳା ଶ୍ରୀପତି ପୋଢ଼ ପୋଲିସ ଆଗରେ ପ୍ରକାଶ କରିଥିଲେ । ଅନ୍ୟପଟେ ଜବଦୁଙ୍କ ପତ୍ନୀ ଡାଳିମ୍ବ ବଗର୍ତ୍ତୀ ମୋ’ ସ୍ଵାମୀ ଜଙ୍ଗଲ ଆଡେ ଯାଉଛି କହି ଆଉ ରାତିରେ ଘରକୁ ଫେରି ନଥିଲେ ବୋଲି ସଇଁତଲା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଏସ.ଆଇ. ଆଲୋକ ପ୍ରସାଦ ଭୋଇ, ଏ.ଏସ.ଆଇ. ଲଷ୍ମଣ ମହାନ୍ତି, ଟିମ୍ ଓ ବନ ବିଭାଗ ତରଫରୁ ଫରେଷ୍ଟର ଆଶୁତୋଷ ମହାକୁଡ଼ ଓ ଫରେଷ୍ଟ ଗାର୍ଡ ସତ୍ୟନାରାୟଣ ପ୍ରଧାନ ଓ ପାରା ଫରେଷ୍ଟ ଷ୍ଟାପ ପହଂଚି ଜଙ୍ଗଲ ଭିତରକୁ ପଶି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିବା ବନ ବିଭାଗ ସୂଚନା ଦେଇଥିଲେ । ଏନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କୁ ପଚାରିବାରୁ ବିଭିନ୍ନ ଦିଗକୁ ନେଇ ଖୋଡ଼ତାଳ ଆରମ୍ଭ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଆଣି ପଚରାଉଚୁରା ଚଳାଇଥିବା ଜଣାପଡିଛି ।
