ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)
ଭୁବନେଶ୍ୱର ମହାନଗର ନିଗମର ଚିହ୍ନିତ ସ୍ଥାନରେ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ନିଗମ କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ ଚାଲୁରହିଛି।
ମେୟର ଏବଂ କମିଶନରଙ୍କଠାରୁ ଆରମ୍ଭ କରି ବିଏମସି ନିୟମିତ ଭାବରେ ଜଳବନ୍ଦୀ ସ୍ଥିତି ସମୀକ୍ଷା କରୁଛି।
ଆଜି ସକାଳେ କମିଶନର ଶ୍ରୀ ଚଞ୍ଚଳ ରାଣା, ଆଇଏଏସ ପଞ୍ଚସଖା ନଗର (ୱାର୍ଡ ୬୪) ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ପ୍ରାରମ୍ଭିକ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l
ପରିଦର୍ଶନ ଅନୁଯାୟୀ, ୱାଟକୋ ପକ୍ଷରୁ ଆବଶ୍ୟକ କାର୍ଯ୍ୟ ତ୍ୱରାନ୍ୱିତ ହେବା ଆବଶ୍ୟକ। ବିଟି ରୋଡ୍ ଏବଂ ସମ୍ପୃକ୍ତ ଅଞ୍ଚଳର ଅନ୍ୟାନ୍ୟ ଅଂଶରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ୱାଟକୋକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ପରବର୍ତ୍ତୀ ପରିଦର୍ଶନ ଗୋଟିଏ ମାସ ପରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।
ଗସ୍ତରେ, ଜବରଦଖଲ ଏବଂ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ମଧ୍ୟ ଚିହ୍ନଟ କରାଯାଇଥିଲା। ଆଲୋଚନା ମାଧ୍ୟମରେ ଜବରଦଖଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏମସି ଦ୍ୱାରା ସୌନ୍ଦର୍ଯ୍ୟକରଣ ପାଇଁ କିଛି ଅଞ୍ଚଳ ଚିହ୍ନଟ କରାଯାଇଛି। ସମସ୍ୟା ସମାଧାନ ପାଇଁ ଗୋଷ୍ଠୀ ସହଯୋଗ ଲୋଡିଛନ୍ତି କମିଶନର।
ପରିଦର୍ଶନ ସମୟରେ ୱାଟକୋର ଟିମ୍, ବିଏମସି ଟିମ୍, ସ୍ଥାନୀୟ କର୍ପୋରେଟର ଏବଂ ବାସିନ୍ଦାମାନେ ଉପସ୍ଥିତ ଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
