ନୂଆଦିଲ୍ଲୀ, 7 ଜୁଲାଇ (ହି.ସ.)
– ବ୍ରିକ୍ସ୍ ଶିଖର ସମ୍ମିଳନୀ 2025 ଭାରତ ପାଇଁ ଏକ ବଡ଼ ରାଜନୈତିକ
ସଫଳତା ନେଇକରି ଆସିଛି ।ସମ୍ମିଳନୀର ସଂଯୁକ୍ତ
ଘୋଷଣାପତ୍ରରେ ଜମ୍ମୁ-କାଶ୍ମୀରର ପହେଲଗାମରେ 22 ଏପ୍ରିଲରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ
କଠୋର ଶବ୍ଦରେ ନିନ୍ଦା କରାଯାଇଛି। ଏହି ଆକ୍ରମଣରେ 26 ନିର୍ଦ୍ଦୋଷ ନାଗରିକଙ୍କ ଜୀବନ ଯାଇଛି ଓ
ଅନେକ ଲୋକ ଆହତ ହୋଇଛନ୍ତି । ସଂଯୁକ୍ତ ଘୋଷଣାପତ୍ରରେ କୁହାଯାଇଛି ଯେ, ‘ଆତଙ୍କବାଦ କୌଣସି ରୂପ, ଉଦ୍ଦେଶ୍ୟ
ବା ଯୁକ୍ତି ସହିତ କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ।’ ଏହିଠିରେ
ଏହା ମଧ୍ୟ କୁହାଯାଇଛି ଯେ, ଆତଙ୍କବାଦକୁ କୌଣସି ଧର୍ମ, ଜାତି, ଜାତୀୟତା ବା ସଭ୍ୟତା ସହିତ
ସମ୍ପର୍କିତ କରାଯାଇପାରିବ ନାହିଁ ଏବଂ ସମସ୍ତ ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ସମର୍ଥକଙ୍କୁ
ଆଇନର କାଠଗଡାକୁ ଆଣିବା ଦରକାର।
ପହେଲଗାମ ଆକ୍ରମଣକୁ ‘ଅତ୍ୟନ୍ତ ନିନ୍ଦନୀୟ’ ଓ ‘ଗଭୀର ଅପରାଧ’ ବୋଲି ବ୍ରିକ୍ସ ପକ୍ଷରୁ କୁହାଯାଇଛି ଓ ଏହା ପ୍ରଥମ ଥର ପାଇଁ ଏତେ
ସ୍ପଷ୍ଟ ଶବ୍ଦରେ ଭାରତରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା କରାଯାଇଛି। ଏହି
ବିବୃତିକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କୌଶଳର ସଫଳତା ବାବଦରେ ଦେଖାଯାଉଛି। ବ୍ରିକ୍ସ
ନେତାମାନେ ସଂଯୁକ୍ତ ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସୁଧାର ଦାବିକୁ ପୁଣିଥରେ ଦୋହରାଇଛନ୍ତି।
ସେମାନେ କହିଛନ୍ତି ଯେ ବର୍ତ୍ତମାନର ବିଶ୍ୱ ସଂସ୍ଥାଗୁଡ଼ିକ ବର୍ତ୍ତମାନ ସମୟର ଯଥାଯଥ
ଆବଶ୍ୟକତାଗୁଡ଼ିକୁ, ବିଶେଷକରି ବିଶ୍ୱ ଦକ୍ଷିଣର
ଚିନ୍ତାବ୍ୟଥାକୁ ସଠିକ୍ ଭାବରେ ପ୍ରତିବିମ୍ବିତ କରୁନାହାନ୍ତି। ସେହିପାଇଁ ପରିଷଦର ଗଠନରେ
ପରିବର୍ତ୍ତନ କରି, ଏହାକୁ ଅଧିକ ସମାବେଶମୂଳକ
ଓ ଲୋକତାନ୍ତ୍ରିକ କରିବା ପ୍ରସ୍ତାବ ଦିଆଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
