ସମ୍ବଲପୁର, ସ୍ଥାନୀୟ ପବ୍ଲିକ ଲାଇବ୍ରେରିଠାରେ ସମ୍ବଲପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବସୁମତୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସଭାରେ ବିଶିଷ୍ଟ ସାହିତ୍ୟିକ କ୍ଷମାସାଗର ଦାଶଙ୍କ ସ୍ମୃତିରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଭୂମାଶ୍ରୀ ସମ୍ମାନ’ ସାହିତ୍ୟିକ ଡ.ଶ୍ୟାମସୁନ୍ଦର ଧରଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସଭାରେ ସଂସଦର ତ୍ରୈମାସିକ ସାହିତ୍ୟ ପତ୍ରିକାର ଜାନୁଆରି-ମାର୍ଚ୍ଚ ସଂଖ୍ୟା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପତ୍ରିକାର ସମ୍ପାଦକ କବି ସୌଭାଗ୍ୟବନ୍ତ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସମ୍ପାଦକ ଡା.ଗୁଣସାଗର ଦାଶ ସଭା ସଂଯୋଜନା କରିଥିଲେ। ସାହିତ୍ୟିକ ଡ.ମନୋଜ କୁମାର ପଣ୍ଡା ସଦ୍ୟ ଉନ୍ମୋଚିତ ପତ୍ରିକାର ସମୀକ୍ଷା କରିଥିଲେ। ମୁଖ୍ୟଅତିଥି ଆଦିତ୍ୟ ପ୍ରସାଦ ପାଢୀ ତାଙ୍କ ବକ୍ତବ୍ୟ ରଖି କହିଥିଲେ ବିଶ୍ୱରେ ସୃଷ୍ଟି ହୋଇଥିବା ବିଭିନ୍ନ ବୈଷମ୍ୟକୁ ଏଡାଇବାର ଶକ୍ତି ସାହିତ୍ଯରେ ରହିଛି। ଗୁଣାତ୍ମକ ରଚନାମାନ ସଂଗ୍ରହ କରି ସେଗୁଡିକୁ ନିୟମିତ ଭାବରେ ଏକ ପତ୍ରିକାରେ ପ୍ରକାଶ କରିବା ଏକ କଷ୍ଟକର ବ୍ୟାପାର । ସଂସ୍କୃତି ର ସୁରକ୍ଷା କୁ ସାହିତ୍ଯିକମାନେ ନିଜ କର୍ତ୍ତବ୍ୟ ବୋଲି ଗ୍ରହଣ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।
ସଂସଦର କୋଷାଧ୍ୟକ୍ଷ ହରିନାରାୟଣ ପଣ୍ଡା ମାନପତ୍ର ପାଠ କରିଥିବା ବେଳେ କବି ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
