ଭୁବନେଶ୍ୱର, କେନ୍ଦୁଝର , 1 ଡିସେମ୍ବର (ହି.ସ.) କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 8ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ଜଣ ଗୁରୁତର ଆହତ ହୋଇଛନ୍ତି ।
ଆଜି ଭୋରୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାଲିଯୋଡି ଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ମନ୍ଦିର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଦିଗପହଣ୍ଡି ଥାନା ବତାଗଡର ପାଟପୁର ଗ୍ରାମର କିଛି ଲୋକ ଏକ ୱିଙ୍ଗରରେ ଘଟଗାଁ ଦର୍ଶନ ପାଇଁ ଆସୁଥିଲେ। ସେମାନେ ଦର୍ଶନ ସାରି ପୁରୀ ଦର୍ଶନ ପାଇଁ ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଭୋରରୁ ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଏହି ଟୁରିଷ୍ଟ ଗାଡି । ଫଳରେ ଘଟଣା ସ୍ଥଳରେ ସାତ ଜଣକ ମୃତ୍ୟୁ ହୋଇଥିବା ବେଳେ ବାକି ଗୁରୁତରଙ୍କୁ ଘଟଗାଁ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ ତିନୋଟି ପରିବାର ଲୋକେ ଏକ ପ୍ରକାରର ନିଶ୍ଚିହ୍ନ ହୋଇଥିବା ଜଣାପଡିଛି। ଭୟଙ୍କର ଦୁର୍ଘଟଣାରେ ଗାଡିଟି ଚୁରମାର ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ମୃତ୍ୟୁବରଣ କରିଥିବା ଆଠ ଜଣ ହେଲେ ରୁଦ୍ର ଗୌଡ଼, ବାବୁଲା ଗୌଡ଼, ମଦନ ଗୌଡ଼, ବାୟାଘନା ଗୌଡ଼,ପଦ୍ମିନୀ ଗୌଡ, ଲିଲି ଗୌଡ଼, ଆକାଶ ପ୍ରଧାନ, ଓ ମିତା ପ୍ରଧାନ ବୋଲି ଜଣାପଡିଛି। ସେହିପରି ହରିଓଁ ଗୌଡ଼, ବସନ୍ତ ଗୌଡ଼, ଚିନ୍ମୟ ଗୌଡ଼, ମାମା ଗୌଡ଼, ସରୋଜ ଗୌଡ଼, ରଞ୍ଜିତା ଗୌଡ଼, ସାଇ ରାମ୍ ଗୌଡ଼, କୁନା ଗୌଡ଼, ଝୁମୁରି ଗୌଡ଼, ଓ ଜଗଦୀଶ ଗୌଡ଼ ବୋଲି ଜଣାପଡିଛି । ସମସ୍ତ ମୃତକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
