ନୂଆଦିଲ୍ଲୀ 29 ନଭେମ୍ବର – ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱକୁ ସ୍ୱୀକୃତି ଦେଇ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଆଜି ଏହାର ସମ୍ମାନଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର ପ୍ରଦାନ କରିଛି। ଗୋଆର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାପନୀ ସମାରୋହରେ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ଅନ୍ତର୍ଜାତୀୟ ବିଚାରକମଣ୍ଡଳୀ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ଗୋଆରେ ଆୟୋଜିତ ଏହି ମହୋତ୍ସବରେ ୧୨ଟି ଅନ୍ତର୍ଜାତୀୟ ଏବଂ ୩ଟି ଭାରତୀୟ ଚଳଚ୍ଚିତ୍ରକୁ ମିଶାଇ ୧୫ଟି ଅସାଧାରଣ ଚଳଚ୍ଚିତ୍ର ସମ୍ମାନଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ପୁରସ୍କାରରେ ୪୦ ଲକ୍ଷ ଟଙ୍କା, ସାର୍ଟିଫିକେଟ୍ ଓ ଗୋଲ୍ଡେନ୍ ପିକକ୍ ମେଡାଲ ପ୍ରଦାନ କରାଯାଇଛି।
୧. ପାସୀ ଚଳଚ୍ଚିତ୍ର ‘ଏଣ୍ଡଲେସ୍ ବର୍ଡର୍ସ’ ଶ୍ରେଷ୍ଠ ଚଳଚ୍ଚିତ୍ର
ଅବ୍ବାସ ଅମିନିଙ୍କ ନିର୍ଦ୍ଦେଶିତ ପାର୍ସୀ ଫିଲ୍ମ ‘ଏଲେସ୍ ବର୍ଡର୍ସ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ସମ୍ମାନଜନକ ‘ଗୋଲ୍ଡେନ୍ ପିକକ୍’ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଆଫଗାନିସ୍ତାନରେ ତାଲିବାନର ଉତ୍ଥାନ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ଜଣେ ଇରାନୀ ଶିକ୍ଷୟିତ୍ରୀଙ୍କ କଠିନ ଯାତ୍ରା ପୃଷ୍ଠଭୂମି ଉପରେ ଆଧାରିତ ଏକ ଭାବପ୍ରବଣ ଭରା କାହାଣୀ ଏ ଚଳଚ୍ଚିତ୍ରରେ ରହିଛି । ଏଥିରେ ପକ୍ଷପାତ, ନୈତିକ ଦ୍ୱନ୍ଦ୍ୱ ଏବଂ ନିଷିଦ୍ଧ ପ୍ରେମର ଜଟିଳତାକୁ ଜଟିଳ ଭାବରେ ଦର୍ଶାଯାଇଛି । ନିର୍ଦ୍ଦେଶକ ଅବ୍ବାସ ଅମିନୀଙ୍କ ସାହସପୂର୍ଣ୍ଣ କଳାକୁ ପ୍ରଶଂସା କରିବା ସହ ଫିଲ୍ମର ଭୌତିକ ଓ ଭାବନାତ୍ମକ ସୀମା ଅତିକ୍ରମ କରିବାର ଦକ୍ଷତାକୁ ବିଚାରକ ମଣ୍ଡଳୀ ପ୍ରଶଂସା କରିଥିଲେ।
ଏକ ପ୍ରଶଂସାପତ୍ରରେ ବିଚାରକମାନେ କହିଛନ୍ତି, ଏହି ଚଳଚ୍ଚିତ୍ରରେ ଭୌତିକ ସୀମା କେତେ ଜଟିଳ ହୋଇପାରେ ତାହା ବିଷୟରେ ବର୍ଣ୍ଣିତ। କିନ୍ତୁ ଆପଣ ନିଜ ଉପରେ ଲଗାଇଥିବା ଭାବନାତ୍ମକ ଏବଂ ନୈତିକ ସୀମାଠାରୁ ଅଧିକ ଜଟିଳ ଆଉ କିଛି ହୋଇପାରିବ ନାହିଁ । ଅନ୍ୟପଟେ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଦେଶ୍ୟ ହେଉଛି ସୀମା ଅତିକ୍ରମ କରିବା ଏବଂ ଏହି ଫିଲ୍ମ କ୍ଷେତ୍ରରେ ନିର୍ଦ୍ଦେଶକ ନିଜ ସ୍ୱାଧୀନତାର ମୂଲ୍ୟ ଦେଇ ରାଜନୈତିକ ସୀମା ଅତିକ୍ରମ କରିଛନ୍ତି ।
ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଇରାନର ଏକ ଗରିବ ଗାଁରେ ନିର୍ବାସିତ ଇରାନୀ ଶିକ୍ଷକ ଅହମ୍ମଦଙ୍କ ଯାତ୍ରାକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଆଫଗାନିସ୍ତାନରେ ତାଲିବାନର ଉତ୍ଥାନ ଜାତିଗତ ଏବଂ ଆଦିବାସୀ ଯୁଦ୍ଧର ନିଆଁକୁ ପୁଣି ଥରେ ଜାଗ୍ରତ କରିଛି । ତାଲିବାନର ବଢ଼ୁଥିବା ପ୍ରଭାବରେ ହଜାରା ଆଫଗାନମାନେ ବେଆଇନ ଭାବେ ଇରାନରେ ପ୍ରବେଶ କରୁଛନ୍ତି। ଯେତେବେଳେ ଅହମ୍ମଦ ଆଫଗାନିସ୍ତାନର ଏକ ହଜାରା ପରିବାର ସହିତ ପରିଚିତ ହୁଅନ୍ତି, ସେତେବେଳେ ସେ ଏହି ଅଞ୍ଚଳରେ ପକ୍ଷପାତିତା ଏବଂ କଠୋରତାର ପ୍ରକୃତ ଚେହେରା ଦେଖନ୍ତି । ଏକ ନିଷିଦ୍ଧ ପ୍ରେମ ତାଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରେ ଏବଂ ସେ ନିଜ ଜୀବନରେ ପ୍ରେମ ଓ ସାହସିକତାର ଅଭାବକୁ ଆବିଷ୍କାର କରନ୍ତି।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
