ନୂଆଦିଲ୍ଲୀ, 31 ଅକ୍ଟୋବର (ହି.ସ.) ଭାରତକୁ ଅଖଣ୍ଡ ଓ ମଜବୁତ କରିବାରେ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମଙ୍ଗଳବାର ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକତା ଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଶାହ । ଏହି ଅବସରରେ ସେ କହିଥିଲେ ଯେ, ଆମକୁ ସର୍ଦ୍ଦାରଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାକୁ ପଡିବ । କୌଣସି ବି ପରିସ୍ଥିତିରେ ଦେଶକୁ ଅଖଣ୍ଡ ରଖିବା ସହ ସବୁ ଦୃଷ୍ଟିରୁ ଦେଶକୁ ମଜବୁତ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ଶାହ ଆହୁରି କହିଛନ୍ତି ଯେ, ଇଂରେଜମାନେ ଦେଶକୁ ଖଣ୍ଡଖଣ୍ଡ କରିବାକୁ ଷଡଯନ୍ତ୍ର କରିଥିଲେ, କିନ୍ତୁ ସର୍ଦ୍ଦାର ପଟେଲ ଏହାକୁ ଭାଙ୍ଗିବାକୁ ଦେଇନଥିଲେ । ବ୍ରିଟିଶମାନେ ଦେଶ ଛାଡିବା ସମୟରେ ଦେଶ 550ଟି ଭାଗରେ ବାଣ୍ଟିହୋଇଯାଇଥିଲା । କିନ୍ତୁ ସର୍ଦ୍ଦାର ପଟେଲ କିଛି ଦିନ ମଧ୍ୟରେ ଏହାକୁ ମିଶାଇ ଭାରତ ମାତାର ଗୋଟିଏ ସୁନ୍ଦର ମାନଚିତ୍ର ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
