
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.) – ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ପ୍ରମୋଦ ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୩ଟି ପଦକ ଜିତିଛନ୍ତି ।
ଆଜି ପ୍ରମୋଦ ଭଗତ ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ନୀତେଶ କୁମାରଙ୍କୁ ୨୨-୨୦, ୧୮-୨୧ ଓ ୨୧-୧୯ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପୂର୍ବରୁ ସେ ପୁରୁଷ ଡବଲ୍ସ ଏସ୍ଏଲ୍୩-ଏସ୍ଏଲ୍୪ ଓ ମିକ୍ସଡ ଡବଲ୍ସ ଏସ୍ଏଲ୍୩-ଏସ୍ୟୁ୫ ବର୍ଗରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ ।
ଏହି ସଫଳତା ପାଇଁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପ୍ରମୋଦ ହେଉଛନ୍ତି ସର୍ବୋତମ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ । ସେ ୨୦୨୪ ପ୍ୟାରୀସ ପାରା ଅଲମ୍ପିକ୍ସ ଗେମ୍ସରେ ମଧ୍ୟ ଆମ ସମସ୍ତଙ୍କୁ ଗର୍ବିତ କରିବେ ବୋଲି ମୁଁ ନିଶ୍ଚିତ ।
୨୦୨୪ ପ୍ୟାରୀସ ପାରା ଅଲିମ୍ପିକ୍ସ ପାଇଁ ପ୍ରମୋଦଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
