




ବଲାଙ୍ଗିର, ୨୭ ନଭେମ୍ବର (ହି.ସ.)- ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମ ଠାରେ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍ ଉଦଘାଟିତ ହୋଇଯାଇଛି । ଜିଲା ବ୍ୟାଡ଼ମିଣ୍ଟନ ସଂଘ ଦ୍ଵାରା ଆୟୋଜିତ ଏହି ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ବୁଧବାର ଯାଏଁ ଚାଲିବ । ଏହାର ଉଦଘାଟନୀ ଦିବସରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ଓଭୋ ଫାର୍ମର ପରିଚାଳନା ନିଦ୍ଦେର୍ଶକ ସୌମେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦଘାଟନ କରିଥିଲେ ।
ଏହି ଅବସରରେ ଶ୍ରୀ ମିଶ୍ର ସଦ୍ୟ ସମାପ୍ତ ହୋଇଥିବା ଦେଶର ୩୫ ତମ ସବଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନସିପର ସଫଳ ସମାପାନ ପାଇଁ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବଲାଙ୍ଗିରର ଏହି ପୃଥ୍ଵୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମ କେବଳ ଆମ ଜିଲା କି ରାଜ୍ୟ ନୁହେଁ, ଦେଶର ପ୍ରତ୍ୟେକ ରାଜ୍ୟର ଖେଳାଳିଙ୍କ କାମରେ ଆସି ସାରିଛି ବୋଲି କହିବା ସହ ଆଜିଠୁ ଆରମ୍ଭ ହେଉଥିବା ଏହି ବରିଷ୍ଠ ରାଜ୍ୟ ଚମ୍ପିଆନସିପ୍ ରେ ଯୋଗଦେଇଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପ୍ରତିଯୋଗିତାର ସାଙ୍ଗଠାନିକ ସମ୍ପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ହେଉଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୬ ଜଣ ରେଫରୀ ଓ ଟେକ୍ନିକାଲ ଅଫିସିଆଲ ପ୍ରତିଯୋଗିତା ପରିଚାଳନା ପାଇଁ ଯୋଗ ଦେଇଛନ୍ତି । ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ତତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପର୍ଯ୍ୟବେକ୍ଷକ ଭାବେ ନୂଆପଡ଼ା ଜିଲ୍ଲା ସମ୍ପାଦକ ଅଙ୍କିତ କୁମାର ସାହୁ, ସୁଦୀପ୍ତ ବିଶୋଇ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଛନ୍ତି । ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ରାଜ୍ୟ ସଂଘ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି । ଚିଫ ରେଫରୀ ଭାବେ ବିଜୟ କୁମାର ବାଗ ସମସ୍ତ ଖେଳକୁ ପରିଚାଳନା କରିବେ ।
ପ୍ରତିଯୋଗିତା ଆୟୋଜନରେ ଜିଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା,ସଂଜୀବ ସାହାଣୀ, ସୁଧିର ପଣ୍ଡା, ସଂଯୋଜକ ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଲ, ଚନ୍ଦନ ମିଶ୍ର ପ୍ରମୁଖ ସହଯୋଗ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ବନ୍ଦନା
