ଧର୍ମଶାଳା,୨୫ ନଭେମ୍ବର(ହି.ସ) – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ଦିବସୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ୍ ମ୍ୟାଚ ଜିଲା ପ୍ରଶାସନ ଏକାଦଶ ଓ ବ୍ରହ୍ମବରଦା ୧୬ବର୍ଷରୁ କମ୍ ଖେଳାଳୀ ଏକଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହାଜିରମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମ୍ୟାଚକୁ ଉଦଘାଟନ କରିଥିଲେ । ଅନ୍ୟଅତିଥିମାନଙ୍କ ମଧ୍ୟରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନଆଚାର୍ଯ୍ୟା ସରୋଜିନୀ ବେହେରା,ବନ୍ଧଡିହ ସହକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ସାହାଣୀ, ଶିକ୍ଷକ ବିରେଶ ମହାନ୍ତିଓ ଭାରତୀୟ ଷ୍ଟ୍ରେଟ୍ ବ୍ୟାଙ୍କ ଲାଇଫ ଇନସ୍ୟୁରାନ୍ସ ଉପଦେଷ୍ଠା ଚନ୍ଦ୍ରମଣୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ମ୍ୟାଚରେ ବ୍ରହ୍ମବରଦା ଏକାଦଶ ଟସ୍ ଜିତି ଜିଲା ପ୍ରଶାସନକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା । ପ୍ରଶାସନ ଏକାଦଶ ନିର୍ଦ୍ଧାରିତ ୧୬ ଓଭରରେ ୫ ଉଇକେଟ ହରାଇ ୧୪୪ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶୁଭାଶିଷ ଜେନା ଦଳ ପକ୍ଷରୁ ସର୍ବାଧିକ ୫୬ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ନାସିରୁଦ୍ଧିନ ଖାଁନ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିଲେ ।
ଜବାବରେ ବ୍ରହ୍ମବରଦା ଏକାଦଶ ୧୪୫ ରନର ପିଛା କରି ୧୦.୩ ଓଭରରେ ୩ ଉଇକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରିଥିଲା । ଦଳ ତରଫରୁ ନାସିରୁଦ୍ଧିନ ଖାଁନ ୨୨ବଲର ସମ୍ମୁଖୀନ ହୋଇ ୫୪ ରନ ସଂଗ୍ରହ କରିଥିଲେ । ନାସିରୁଦ୍ଧିନଙ୍କୁ ଶ୍ରେଷ୍ଠ ଖେଳାଳିଭାବେ ବିବେଚିତ କରାଯାଇଥିଲା । ଆଜିର ଖେଳକୁ ମଂଟୁ ଦାସ ଓ ରୋହିତ ଓଝା ଖେଳରକ୍ଷକଭାବେ ଖେଳକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ/ବନ୍ଦନା
