ଭୁବନେଶ୍ୱର, 3 ନଭେମ୍ବର (ହି.ସ.) – ନିକଟରେ ଶେଷ ହୋଇଥିବା ଏସିଆନ ପାରା ଗେମ୍ସରେ ପଦକ ଜିତି ଥିବା ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଉଭୟଙ୍କୁ ପୁରସ୍କାର ସ୍ୱରୂପ ପୂର୍ବରୁ ଘୋଷଣା କରିଥିବା ଅର୍ଥ ରାଶିର ଚେକ୍ ପ୍ରଦାନ କରିଛନ୍ତି । ପ୍ରମୋଦ ଭଗତଙ୍କୁ ୨ କୋଟି ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରମୋଦ ଭଗତ ବ୍ୟାଡମିଂଟନରେ ତିନିଟି ପଦକ ଜିତିଥିଲେ । ତା’ ମଧ୍ୟରେ ଥିଲା ଗୋଟିଏ ସ୍ୱର୍ଣ୍ଣ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ । ପୁରୁଷ ଏକକ ଏସ୍ଏଲ୍ ୩ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସ୍ଏଲ୍୩-ଏସ୍ ଏଲ୍ ୪ ପୁରୁଷ ଡବଲ୍ସ ଓ ଏସ୍ଏଲ୍୩-ଏସ୍ୟୁ୫ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଚେସ୍ରେ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ଟିମ୍ ରାପିଡ୍ ଭି୧ ବି୧ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଇଣ୍ଡିଭିଜୁଆଲ ରାପିଡ୍ ଭି୧ବି୧ରେ ରୌପ୍ୟ ପଦକ ଜିତିଥିଲେ ସୌନ୍ଦର୍ଯ୍ୟ ।
ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କୁ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ଏହି ଦୁଇ ପାରା ଆଥ୍ ଲେଟଙ୍କୁ ସମ୍ବର୍ଦ୍ଧିତ କରି ସେ ଗର୍ବ ଅନୁଭବ କରୁଛନ୍ତି । ସେମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଆଗକୁ ମଧ୍ୟ ଉଭୟଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
