ଧର୍ମଶାଳା, ୮ ଜାନୁଆରୀ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଦୁଇ ଦିନ ଧରି ଚାଲିଥିବା ଏସ୍ବିଆଇ ଲାଇଫ୍ ଇନସ୍ୟୁରାନ୍ସ ଏକ ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । କେଏମସିସି କ୍ରିକେଟ କ୍ଲବକୁ ହରାଇ ବ୍ରହ୍ମବରଦା କ୍ରିକେଟ୍ କ୍ଲବ ଚାମ୍ପିଅନ ହୋଇଛି । ୧ମ ମ୍ୟାଚ ବ୍ରହ୍ମବରଦା ଠାରୁ ୧୫୮ ଓ ୨ୟ ମ୍ୟାଚ ୧୩୪ ରନରେ ବ୍ରହ୍ମବରଦା ଠାରୁ ପରାଜିତ ହୋଇଥିଲା । ଫଳରେ ୨-୦ରେ ବ୍ରହ୍ମବରଦା ଜିତି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଶେଷ ମ୍ୟାଚରେ ବ୍ରହ୍ମବରଦା ଟସ୍ରେ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ମଧ୍ୟରୁ ୩୨ ଓଭରରେ ସମସ୍ତ ଉଇକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆକାଶ ଓଝା ୬୫ ଓ ସୌମ୍ୟ ରଂଜନ ରାଉତ ୫୧ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଅଜୟ ଦାସ ମୋଟ ୭ଟି ଉଇକେଟ ନେଇଥିଲେ ।
୨୨୨ ରନର ବିଜୟ ଲକ୍ଷ ନେଇ କେଏମସିସି ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୭ ରନ କରିଥିଲା । ସୌମ୍ୟ ରଂଜନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଯୁବନେତା ରାକେଶ ଦେଓ ଅତିଥିଭାବେ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ମଂଟୁ ଦାସ , ସୋମ୍ୟ ରଂଜନ ଲେଙ୍କା ଓ ରଚିତ ରଂଜନ ଦେଓ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ
