
ସୁବର୍ଣ୍ଣପୁର, 19 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦ୍ବାରା ବିପୁଳ ପରିମାଣ ଗଞ୍ଜେଇ ସହ ଗତକାଲି ଏକ ମାକ୍ସ ପିକଅପ ଜବତ ହୋଇଛି । ତରଭା ଥାନା ଅନ୍ତର୍ଗତ କମସରା ନିକତସ୍ଥ ଡଙ୍ଗରତଳ ଠାରୁ ୭ କ୍ଵିଣ୍ଟାଲ ୭୨ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ପିକ ଅପ୍ ଗାଡ଼ି ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ବିସ୍ତୃତ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ । ସୂଚନା ଅନୁଯାୟୀ ଗତକାଲି ରବିବାର ରାତି ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ତରଭା ଥାନା ଅନ୍ତର୍ଗତ ନର୍ଡା ଗ୍ରାମର ଅଶୋକ ସାହୁ ତାଙ୍କ ଡ଼୍ରାଇଭର ଏବଂ ଟିମ୍ ଏକ ବୋଲେରୋ ପିକଅପରେ ବିପୁଳ ପରିମାଣର ଗଞ୍ଜେଇ ତେଲନଦୀ ବ୍ରିଜ ପଟୁ କମସରା-ତରଭା ରାସ୍ତାରେ ବାହାର ରାଜ୍ୟ କୁ ଚାଲାଣ କରିବାକୁ ଯୋଜନା କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏବଂ ଗାଡ଼ି କୁ ୨ ଗୋଟି ଚାରି ଚକିଆ ଏବଂ ୩ ଟି ବାଇକ୍ ସୁରକ୍ଷା ଦେଉଥିବା ଖବର ଥିବାରୁ ଖୋଦ୍ ଏସପି ଏବଂ ଏଡିସିନାଲ ଏସପି ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗଠନ କରାଯାଇ କଣ୍ଟାମାଳ ଏବଂ ତରଭା ଉଭୟ ପଟରୁ ପିଛା କରିବା ପରେ କମସରା ଗାଁ ନିକଟସ୍ଥ ଡଙ୍ଗରତଳ ଠାରେ କଣ୍ଟାମାଳ ପଟରୁ ପିଛା କରୁଥିବା ପୋଲିସ ଟିମ ପିକ୍ ଅପ୍ କୁ ଅଟକାଇବା ରେ ସଫଳ ହେଇଥିଲେ। ବୋଲେରୋ ଗାଡ଼ି ନଂ ଓଆର୧୯ଜି-୯୦୧୧ ରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ଥିବା ଜଣାପଡିଥିଲା। ୨୪ ଟି ବଡ଼ ବସ୍ତାରେ ଗଞ୍ଜେଇ ଭର୍ତ୍ତି ଥିବା ଏବଂ ଗାଡ଼ିର ନମ୍ବର ଫର୍ଜରି ଥିବା ଜଣାପଡିଥିଲା । ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ଜବତ ଗଞ୍ଜେଇ ର ପରିମାଣ ୭ କୁଇଣ୍ଟାଲ ୭୨ କେଜି ୮୦୦ ଗ୍ରାମ ହୋଇଥିଲା I ଏହାର ସରକାରୀ ଦର ୭ ଲକ୍ଷ ୩୦ ହଜାର ଟଙ୍କା ହୋଇଥିବା ବେଳେ ବଜାର ମୂଲ୍ୟ ଆନୁମାନିକ ମୂଲ୍ୟ ପ୍ରାୟ ୧.୫୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ଅତିରକ୍ତ ଏସପି କେ. ହରି ପ୍ରସାଦ ପ୍ରମୁଖ ଘଟଣା ସ୍ଥଳରେ ତଦାରଖ କରିଥିଲେ I ଏ ଗାଡ଼ି ର ସୁରକ୍ଷା ପାଈଁ ପାଇଲଟିଂ କରୁଥିବା ଗାଡ଼ି ଓ ସଂପୃକ୍ତ ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ପରେ ବିଳମ୍ବିତ ରାତ୍ରିରେ ଅଶୋକ ସାହୁ ଙ୍କ ଘରେ ପୋଲିସ ଟିମ୍ ରେଡ କରିଥିଲା ବେଳେ ଅଶୋକ ଘରେ ନ ଥିବା କଥା ସୂଚନା ଦେଇଛନ୍ତି ଏସପି ।ଏହି ବଡ଼ ଧରଣର ଗଞ୍ଜେଇ ଚୋରା଼ ଚାଲାଣ କାରବାର ଧରପଗଡ଼ ରେ କମସରା ଫାଣ୍ଡି ଏସଆଇ ମରୁତ ଚନ୍ଦ୍ର ପ୍ରଧାନଙ୍କ ସହ ପୋଲିସ ଦଳ ଏବଂ ତରଭା ପୋଲିସ ଥାନା ଅଧିକାରୀ ସାମିଲ ଥିଲେ I ଏ ନେଇ ତରଭା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗଞ୍ଜେଇ ଦେଖିବା ପାଇଁ ବାଟୋଇଙ୍କ ଭିଡ଼ ଜମିଥିଲା I ଏହି ଗଞ୍ଜେଇ ଚୋରା ଚାଲାଣ ପଡୋଶୀ ଛତିଶଗଡ ଦେଇ ବାହାରକୁ ପାରି ହେଉଥିବା ସନ୍ଦେହ କରାଯାଉଥିବା ବେଳେ ଆନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କ ସହିତ ସମ୍ପର୍କ ରହିଥିବାର ଆଶା କରାଯାଉଛି I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
